ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୁବ ଶୀଘ୍ର ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭଙ୍ଗାଯିବ। ଏହି ଭବନ ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟର ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତିଙ୍କ ରହଣି ନିମନ୍ତେ ବ୍ୟବହାର ହୋଇଥାଏ। କିନ୍ତୁ ଓଡ଼ିଶା ଭବନରେ ରହଣି ଅସୁରକ୍ଷିତ ଥିବା ଦୃଷ୍ଟିରୁ ଏହାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୧୯୮୦ ମସିହାରେ ଦିଲ୍ଲୀରେ ନିର୍ମିତ ହୋଇଥିବା ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନଓ ଓଡ଼ିଶା ଭବନର ସୁରକ୍ଷା ଅଡିଟ୍ ପାଇଁ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେଣୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅଡିଟ୍ କରାଯାଇ ୨୦୨୨ ଏପ୍ରିଲ୍ ୧୯ ତାରିଖରେ ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ବୋଲି ଦର୍ଶାଯାଇଥିଲା। ଏଥିସହିତ ୨ରୁ ୩ବର୍ଷ ମଧ୍ୟରେ ଏହି ଭବନକୁ ଭାଙ୍ଗିବା ଆବଶ୍ୟକ ବୋଲି ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ମତ ଦେଇଥିଲେ।
ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ରାଜ୍ୟ ସରକାରଙ୍କୁ ଓଡିଶା ଭବନକୁ ମରାମତି କରିବା ସମିଚୀନ ନୁହେଁ ଏବଂ ଏହା ରହଣି ପାଇଁ ଅସୁରକ୍ଷିତ ବୋଲି ଅବଗତ କରାଇଥିଲେ। ତେବେ ଏହି ନିଷ୍ପତ୍ତି ଉପରେ ବିଚାର କରି ଓଡିଶା ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେବାସହ ଯଥାଶୀଘ୍ର ଏହାକୁ ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ସେହି ସ୍ଥାନରେ ନୂତନ ଓଡିଶା ଭବନର ପୁନଃନିର୍ମାଣ ହେବାକୁ ଥିବା ବେଳେ ସେ ସଂକ୍ରାନ୍ତରେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ନାହିଁ। ସେହିପରି ନୂତନ ଭବନ ନିର୍ମାଣ ଶେଷ ପର୍ଯ୍ୟନ୍ତ ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟର ଅତିବିଶିଷ୍ଟ ଓ ବିଶିଷ୍ଟ ବ୍ୟକ୍ତିମାନେ ଅଶୋକା ହୋଟେଲରେ ରହିବାର ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।