ନୂଆଦିଲ୍ଲୀ : ଦୀର୍ଘବର୍ଷ ପରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇ ଏଠାରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଏହିକ୍ରମରେ ରବିବାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିନିଆଯାଇଥିବା ବେଳେ ଆସନ୍ତା ବୁଧବାର ଠାରୁ ଏଠାରେ ମୁଖ୍ୟମନ୍ତ୍ରୀ ଶାସନ ଆରମ୍ଭ ହେବାକୁ ଯାଉଛି। ୨୦୧୯ ମସିହା ଅକ୍ଟୋବର ୩୧ ରୁ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତେବେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନର ଧାରା ୭୩ ଓ ସମ୍ବିଧାନର ଧାରା ୨୩୯ ଓ ୨୩୯ (ଏ) ଅନୁଯାୟୀ ଏଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତେବେ ନିର୍ବାଚନ ପରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନର ଧାରା ୫୪ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଅନୁଯାୟୀ ନ୍ୟାସନାଲ କନଫରେନ୍ସ (ଏନସି) ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବେ। ତେବେ ଏହି ପରିପ୍ରେକ୍ଷୀରେ ଏନସି ନେତା ଓମାର ଅବଦୁଲ୍ଲା ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିଥିଲେ। ତେଣୁ ଦାବି ଆଧାରରେ ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର ଓମାରଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ଉପରାଜ୍ୟପାଳ ତାଙ୍କ ପ୍ରମୁଖ ସଚିବଙ୍କ ମାଧ୍ୟମରେ ସରକାର ଗଠନ ନିମନ୍ତ୍ରଣ ପତ୍ର ଓମାରଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ଉପରାଜ୍ୟପାଳଙ୍କ ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଓମାର। ଏହି ନିମନ୍ତ୍ରଣ ଅନୁଯାୟୀ ବୁଧବାର ସକାଳ ୧୧.୩୦ରେ ଓମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ପ୍ରକାଶଥାଉ କି, ୨୦୧୭ ମସିହା ଜୁନ୍ରୁ ଜାମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ଶାସନ ଜାରି ରହିଥିବା ବେଳେ ମେହବୁବା ମୁଫତିଙ୍କ ନେତୃତ୍ୱାଧୀନ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କାଶ୍ମୀରରେ ସରକାର ଭାଙ୍ଗି ଯାଇ ରାଜ୍ୟରେ କେନ୍ଦ୍ରୀୟ ଶାସନ ଜାରି ହୋଇଥିଲା। ଏହା ପରେ ୨୦୧୯ ମସିହା ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ସହ ରାଜ୍ୟକୁ ପୁନର୍ଗଠନ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।