ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନୂଆ ନିୟମ ଲାଗୁ ହୋଇଛି । ନୂତନ ନିୟମ ଅନୁଯାୟୀ ୭୫% ଉପସ୍ଥାନ ବାଧ୍ୟତାମୂଳକ ଥିବା କୁହାଯାଇଛି । ତେବେ ଏହି ନିୟମ ୨୦୨୫ ମସିହାରେ ବୋର୍ଡ ପରୀକ୍ଷା ଦେବାକୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ତେବେ ବୋର୍ଡ ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ୭୫ ପ୍ରତିଶତ ଉପସ୍ଥାନ ନ ଥିଲେ ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷିତ ହେବେ ପରୀକ୍ଷାର୍ଥୀ। ଏନେଇ ସମସ୍ତ ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟର ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଆସନ୍ତା ଫେବୃୟାରୀ ୧୫ରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଯେଉଁମାନେ ୭୫ % ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଅଯୋଗ୍ୟ ଘୋଷିତ ହେବେ ସେହିମାନଙ୍କୁ ଆଡମିଟ୍ କାର୍ଡ ମିଳିବ ନାହିଁ। ଏନେଇ ଜାନୁୟାରୀ ୭ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ବିଜ୍ଞପ୍ତି ଅନୁସାରେ ଯଦି କୌଣସି ପିଲାଙ୍କର ଉପସ୍ଥାନ କମ୍ ହୋଇଥିବ, ତେବେ ସେମାନେ ଏହାର ଉପଯୁକ୍ତ କାରଣ ଦସ୍ତାବିଜ ସହ ଜାନୁୟାରୀ ୭ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସମୟସୀମା ପରେ କୌଣସି ଆବେଦନକୁ ବିଚାରକୁ ନିଆଯିବ ନାହିଁ ଏବଂ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଏହି ନିର୍ଦ୍ଦେଶନାମାର ଦୃଢ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ କୁହଯାଇଛି।