ଜାମ୍ମୁ କାଶ୍ମୀର ଏଲ୍ଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିବା ସୂଚନା ମିଳିଛି। ଏଥିସହିତ ଭାରତୀୟ ସେନା ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁକଶ୍ମୀରରେ ନିର୍ବାଚନ ଥିବାରୁ ଏହାପୂର୍ବରୁ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉପତ୍ୟକାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର-ସୋମବାର ମଧ୍ୟରାତ୍ରିରେ ପାକିସ୍ତାନରୁ କିଛି ଆତଙ୍କବାଦୀ ନୌସେରା ସେକ୍ଟର ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଏହି ସୀମାନ୍ତ ଜିଲ୍ଲାରେ ଭାରତୀୟ ସେନାବାହିନୀ ଅନୁପ୍ରବେଶ ବିରୋଧୀ ଅପରେସନ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଭାରତୀୟ ସେନା ବାହିନୀ ପକ୍ଷରୁ ଗୁଳି ବିନିମୟ ଘଟିଥିଲା । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଏ ସମ୍ପର୍କରେ ସେନା ଅଧିକାରୀ କହିଛନ୍ତି ଯେ, “ଖୋଜାଖୋଜି ଆରମ୍ଭ ହେବା ପୂର୍ବରୁ ଏହି ଅଞ୍ଚଳକୁ କଡ଼ା ନଜରରେ ରଖାଯାଇଥିଲା। ଗୁଳି ବିନିମୟ ଘଟି ଏଥିରେ ୨ ଆତଙ୍କବାଦୀ ନିହତଏଥିସହ ଏକେ-୪୭ ରାଇଫଲ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।”
ପ୍ରକାଶ ଥାଉକି, ଗତ ମାସ ଶେଷ ସପ୍ତାହରେ ମଧ୍ୟ ରାଜୌରୀ ଅଂଚଳର ଲାଠି ଅଞ୍ଚଳରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ କରି ସେନା ପକ୍ଷରୁ ଏକ ଏନକାଉଣ୍ଟର ହୋଇଥିଲା। ସେହିପରି ଜୁଲାଇରେ ମଧ୍ୟ ଆତଙ୍କବାଦୀମାନେ ଉକ୍ତ ଜିଲ୍ଲାର ଗୁଣ୍ଡା ଅଞ୍ଚଳରେ ଥିବା ଏକ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ଜଣେ ଯବାନ ଆହତ ହୋଇଥିଲେ।