ଶ୍ରୀନଗର,୧୬ା୧୦: ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ଛଅବର୍ଷ ପରେ ଏଠାରେ ଏକ ନିର୍ବାଚିତ ସରକାର ଗଠିତ ହୋଇଛି । ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଜମ୍ମୁ କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରାଇନାଙ୍କୁ ନୋ÷ଶେରା ବିଧାନସଭା ଆସନରେ ପରାସ୍ତ କରିଥିବା ସ୍ୱାଧୀନ ବିଧାୟକ ସୁରିନ୍ଦର ସିଂ ଚୋ÷ଧାରୀଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି, ଯଦ୍ଦ୍ୱାରା ନୂତନ ସରକାର ସେ ଜମ୍ମୁ ଅଞ୍ଚଳରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଛନ୍ତି । ଉପରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଇଣ୍ଟରନ୍ୟାସନାଲ କନଫରେନ୍ସ ସେଣ୍ଟର (ଏସକେଆଇସିସି)ରେ ଆୟୋଜିତ ଏକ ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଉତ୍ସବରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବହୁ ବିରୋଧୀ ଦଳ ନେତୃବୃନ୍ଦ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ପାଞ୍ଚଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେମାନଙ୍କ ମଧ୍ୟରେ ସତୀଶ ଶର୍ମା (ସ୍ୱାଧୀନ), ସକିନା ଇଟ୍ଟୁ, ଜାଭିଦ ଦର୍, ସୁରିନ୍ଦର ଚୋ÷ଧାରୀ ଏବଂ ଜାଭିଦ ରାଣା (ସମସ୍ତେ ନ୍ୟାସନାଲ କନଫେରେନ୍ସ) ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ଭାବରେ ଓମାରଙ୍କର ଏହା ଦ୍ୱିତୀୟ ପାଳି ଏବଂ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରବର୍ତ୍ତୀ ସମୟରେ ସେ ପ୍ରଥମ କରି ନିର୍ବାଚିତ ସରକାର ଗଠନ କରିଛନ୍ତି । ଏହା ପୂର୍ବରୁ ଜମ୍ମୁ କାଶ୍ମୀର ସମ୍ପୂର୍ଣ୍ଣ ରାଜ୍ୟ ଥିବାବେଳେ ଓମାର ଅବଦୁଲ୍ଲା ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ।