ଇସଲାମାବାଦ,୧୬ା୧୦: ପାକିିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଜେଲର ଅନ୍ଧାରୀ କୋଠରୀରେ ବନ୍ଦ କରି ରଖାଯାଇଛି । ତାଙ୍କ କୋଠରୀକୁ ବିଦୁ୍ୟତ୍ ଯୋଗାଣ ବିଚ୍ଛିନ୍ନ କରିଦିଆଯାଇଛି ଏବଂ ସପ୍ତାହକୁ ଥରେ ନିଜ ପୁଅଙ୍କ ନିକଟକୁ ଫୋନ କରିବାକୁ ତାଙ୍କୁ ପୂର୍ବରୁ ଯେଉଁ ସୁଯୋଗ ଦିଆଯାଉଥିଲା ତାହାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଇମ୍ରାନଙ୍କ ପୂର୍ବତନ ପନôୀ ଜେମିମା ଗୋଲ୍ଡସ୍ମିଥ । ପାକିସ୍ତାନରେ ସମ୍ପ୍ରତି ଦୁଇ ଦିନିଆ ଏସସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଥିବାବେଳେ ସେଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଯୋଗ ଦେଇଛନ୍ତି । ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାର ବିରୁଦ୍ଧରେ ଅଭିଯୋଗ ଆଣି ଜେମିମା କହିଛନ୍ତି, ଇମ୍ରାନଙ୍କ ଶତାଧିକ ସମର୍ଥକଙ୍କୁ ସରକାର ଗିରଫ କରିନେଇଛନ୍ତି । ସେମାନେ ଇମ୍ରାନଙ୍କ ମୁକ୍ତି ଦାବିକରି ଇସଲାମାବାଦ ଅଭିମୁଖେ ଶୋଭାଯାତ୍ରା କରିବା ପ୍ରୟାସ କରୁଥିବା ସମୟରେ ସରକାର ସେମାନଙ୍କୁ ଗିରଫ କରିଛନ୍ତି । ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଜେମିମା କହିଛନ୍ତି ଇମ୍ରାନଙ୍କୁ ସାକ୍ଷାତ କରିବାକୁ ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ଅନୁମତି ଦିଆଯାଉନାହିଁ । ତାହାସହିତ ଅଦାଲତରେ ତାଙ୍କ ମାମଲାର ଶୁଣାଣି ପ୍ରକି୍ରୟାକୁ ମଧ୍ୟ ସ୍ଥଗିର ରଖାଯାଇଛି । ସୂଚନାଯୋଗ୍ୟେ ଯେ ଜେମିମା ଗୋଲ୍ଡସ୍ମିଥ ଇମ୍ରାନକୁ ୧୯୯୫ରେ ବିବାହ କରିଥିଲେ । ପରେ ୨୦୦୪ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଇମ୍ରାନଙ୍କୁ ୨୦୨୩ ଅଗଷ୍ଟ ୫ ତାରିଖରେ ଗିରଫ କରାଯିବା ପରେ ତାଙ୍କୁ ରାୱଲପିଣ୍ଡିସ୍ଥିତ ଆଦିଆଲ ଜେଲରେ ବନ୍ଦୀ କରି ରଖାଯାଇଛି ।