ଏସସିଓ ବୈଠକରେ ଯୋଗଦେଲେ
ଇସଲାମାବାଦ,୧୬ା୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମ୍ପ୍ରତି ପାକିସ୍ତାନ ଗସ୍ତରେ ଅଛନ୍ତି । ଏଠାରେ ବୁଧବାର ଠାରୁ ଏସସିଓ ଶିଖର ବୈଠକ ଆରମ୍ଭ ହୋଇଛି । ମଙ୍ଗଳବାର ଜୟଶଙ୍କର ରାୱଲପିଣ୍ଡିସ୍ଥିତ ନୁର ଖାଁ ବିମାନଘାଟୀରେ ଅବତରଣ କରିଥିଲେ । ନଅବର୍ଷ ମଧ୍ୟରେ ସେ ପ୍ରଥମ ଭାରତୀୟ ବୈଦେଶିକ ମନ୍ତ୍ରୀ ଭାବରେ ପାକିସ୍ତାନ ଗସ୍ତ କରିଛନ୍ତି । ତାଙ୍କ ପୂର୍ବରୁ ସୁଷମା ସ୍ୱରାଜ ଭାରତର ବୈଦେଶିକ ମନ୍ତ୍ରୀ ଭାବରେ ପାକିସ୍ତାନ ଗସ୍ତରେ ଯାଇଥିଲେ । ଜୟଶଙ୍କରଙ୍କ ସହିତ ଏହି ଶିଖର ବୈଠକରେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ବେଲାରୁଷ ପ୍ରଧାନମନ୍ତ୍ରୀ ରୋମାନ ଗୋଲୋଭଶେଙ୍କୋ, କାଜାଖସ୍ତାନ ପ୍ରଧାନମନ୍ତ୍ରୀ ଓଲଜାସ୍ ବେକତେନୋଭ, ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ, ତାଜିକିସ୍ତାନ ପ୍ରଧାନମନ୍ତ୍ରୀ କୋହିର ରସୁଲଜୋଦା, ଉଜବେକ ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ଆରିପୋଭ, କିରଗିଜସ୍ତାନର ମିନିଷ୍ଟର୍ସ କ୍ୟାବିନେଟ ଚେୟାରମ୍ୟାନ ଝାପାରୋଭ ଆକିଲବେକ ଏବଂ ଇରାନ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରିଫ ପ୍ରମୁଖ ଯୋଗଦେଉଛନ୍ତି । ଭାରତ ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ଆତଙ୍କବାଦ ଓ ଆଲୋଚନା ସମାନ ସମୟରେ ସମ୍ଭବ ନୁହେଁ ଏବଂ ଏକ ଅନୁକୂଳ ପରିବେଶ ସୃଷ୍ଟିହେଲେ ଦ୍ୱିପାକ୍ଷିକ ସମ୍ପର୍କ ପୁନଃଆରମ୍ଭ ନେଇ ଆଲୋଚନା କରାଯାଇପାରିବ । ମଙ୍ଗଳବାର ରାତିରେ ଏକ ଅନୋ÷ପଚାରିକ ନୈଶଭୋଜିରେ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପରସ୍ପରକୁ ଭେଟିବା ସହିତ ହାତ ମିଳାଇଥିଲେ । ବୁଧବାର ସକାଳେ ଭାରତର ବୈଦେଶିକ ମନ୍ତ୍ରୀ ଭାରତୀୟ କୂଟନୀତିଜ୍ଞମାନଙ୍କ ସହିତ ପ୍ରାତଃଭ୍ରମଣ କରି ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ପରିସରରେ ଏକ ଅର୍ଜୁନ ଗଛ ଚାରା ରୋପଣ କରିଥିଲେ ।