ଗତ କିଛି ଦିନରୁ ଦେଶରେ ହଇଚଇ ସୃଷ୍ଟି କରିଥିବା ପଶ୍ଚିବମଙ୍ଗ ଆର୍.ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ଆଜି ମାସେ ପୂରିଛି। ଏହି ଘଟଣାର ଷ୍ଟାଟସ୍ ରିପୋର୍ଟ ଆଜି ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟ୍ରେ ଦାଖଲ ହେବ। ସୋମବାର ସକାଳ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି ପର୍ଦିଓ୍ବାଲା ଏବଂ ମନୋଜ ମିଶ୍ରା ଏହି ମାମଲାର ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ପ୍ରକାଶ ପାଇଛି। ଅପରପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆବେଦନରେ ତ୍ରୁଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କ ସହଯୋଗର ଅଭାବକୁ ଏକ ଗଭୀର ପ୍ରସଙ୍ଗ ବୋଲି ସୁଚାଇଥିବା ବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ)କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଇଚ୍ଛାକୃତ ଭାବେ ଏହି ନିର୍ଦ୍ଦେଶ ପାଳନ ନ କରିବା ଦର୍ଶାଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ପକ୍ଷରୁ ପୀଡିତାଙ୍କ ଅସ୍ବାଭାବିକ ମୃତ୍ୟୁ ପଞ୍ଜୀକରଣ କରିବାରେ କୋଲକାତା ପୋଲିସର ବିଳମ୍ବକୁ ଅତ୍ୟନ୍ତ ବିବ୍ରତ ବୋଲି କୁହାଯାଇଥିଲା।
ସୂଚନଯୋଗ୍ୟ ଯେ, ଅଗଷ୍ଟ ମାସ ୯ ତାରିଖ ଦିନ କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲ ପରିସରରେ ୩୧ ବର୍ଷିୟା ଟ୍ରେନି ଡକ୍ଟର ମୃତ ଦେହ ମିଳିଥିଲା। ପରେ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କୁ ଦୁଷ୍କର୍ମ କରାଯାଇ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ଏହି ଅପରାଧ ପାଇଁ ପୋଲିସ ସଞ୍ଜୟ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏଥିରେ ଆହୁରି ଅନେକ ସାମିଲ ଥିବା ଅନୁମାନ କରାଯାଉଛି। ତେଣୁ ଏହି ଘଟଣା ପାଇଁ ପୀଡ଼ିତା ଅଭୟାଙ୍କୁ ନ୍ୟାୟ ପାଇଁ ସମଗ୍ର କୋଲକାତାରେ ପକ୍ଷରୁ ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ପ୍ରତିବାଦ କୋଲକାତା ସହ ସାରା ଦେଶରେ ବ୍ୟାପି ସାରିଥିବା ବେଳେ ସାରା ରାତି ଉଜାଗର ରହି ଆନ୍ଦୋଳନ କରୁଛନ୍ତି ବିଭିନ୍ନ ବର୍ଗର ଲୋକ।