ବହରାଇଚ୍: ନିକଟରେ ଉତ୍ତରପ୍ରଦେଶସ୍ଥିତ ବହରାଇଚ୍ ରେ ହୋଇଥିବା ହିଂସାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସରଫରାଜ ଖାଁର ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ଗୁରୁବାର ସେ ନେପାଳ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାକୁ ପୁଲିସ ଏନକାଉଣ୍ଟର କରିଛି । ସେଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସନ୍ଦିଗ୍ଧ ତାଲିମର ଗୋଡ଼ରେ ଗୁଳି ବାଜିଛି।
ଏହି ଏନକାଉଣ୍ଟରରେ ସରଫରାଜର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରଫରାଜକୁ ଡାକ୍ତରଖାନା ନିଆଯାଇ ସେଠାରେ ତାହାର ଚିକିତ୍ସା ଚାଲିଛି ଏବଂ ତାର ଅବସ୍ଥା ସଂକଟାପନ୍ନ ରହିଛି । ନେପାଳ ସୀମା ନିକଟରେ ଥିବା ହିନ୍ଦା ବୁସେହାରୀ କେନାଲ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା।
ସୂଚନାଯୋଗ୍ୟ ଯେ, ଦୁର୍ଗାମେଢ ଭସାଣୀ ବେଳେ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଯୋଗୁ ପଥରମାଡ଼ ଓ ହିଂସାକାଣ୍ଡ ହୋଇଥିଲା । ଏହି ହିଂସାବେଳେ ରାମଗୋପାଳକୁ ଗୁଳିକରି ହତ୍ୟା କରାଯାଇଥିଲା । ତେବେ ବୁଧବାର ବହରାଇଚ ଗୁଳିକାଣ୍ଡର ପ୍ରଥମ ଅଭିଯୁକ୍ତ ରାଜା ଓରଫ ଜାହିର ଖାଁକୁ ଗିରଫ କରାଯାଇଥିଲା।