ରବିବାର ସଂଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲର ସେମିନାର ହଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାରେ ଦେଶ ସମେତ ବିଶ୍ବବ୍ୟାପୀ ଆନ୍ଦୋଳନ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ, ଆମେରିକା, ୟୁରୋପ, ଜାପାନ ସମେତ ବିଶ୍ବର ପ୍ରାୟ ୨୫ଟି ଦେଶର ୧୩୦ ସହରରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଷ୍ଟକହାମ, ନ୍ୟୁୟୁର୍କ ଏବଂ ସିଡନୀ ଆଦି ସହରରେ ବିପୁଳ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଏହି ଘଟଣାକୁ ଆଜି ମାସେ ପୂରିଥିବା ବେଳେ ଏହାର ଷ୍ଟାଟସ୍ ରିପୋର୍ଟ ଆଜି ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟ୍ରେ ଦାଖଲ ହେବ। ସୋମବାର ସକାଳ ୧୦.୩୦ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧକ୍ଷତାରେ ଜଷ୍ଟିସ ଜେ.ବି ପର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ପ୍ରକାଶ ପାଇଛି। ତେବେ ଏହା ପୂର୍ବରୁ ଭାରତରେ ମହିଳାଙ୍କ ସୁରକ୍ଷା ଓ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦେଶବାସୀ ଓ ପ୍ରବାସୀ ଭାରତୀୟ ମାନେ ଦାବି କରିଛନ୍ତି । ଗତ କିଛି ଦିନରୁ କୋଲକାତାରେ ବିପୁଳ ସଂଖ୍ୟାରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ହାତରେ ପ୍ଲାକକାର୍ଡ ଧରି କ୍ୟାଣ୍ଡେଲ ପ୍ରତିବାଦ ଶୋଭାଯାତ୍ରା କରିଥିବା ବେଳେ ପଶ୍ଚିମବଙ୍ଗ ସରକାର ଓ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ ପୀଡିତାଙ୍କ ପିତାମାତା । ପ୍ରଥମରୁ ଏହି ଜଘନ୍ୟ କାଣ୍ଡକୁ ପ୍ରମାଣ ନଷ୍ଟ କରି ଚାପି ଦେବା ପାଇଁ ଉଦ୍ୟମ ହୋଇଥିଲା । ପ୍ରମାଣ ନଷ୍ଟ କରି ମାମଲାର ମୋଡ ବଦଳାଇବା ପାଇଁ ବହୁ ପ୍ରୟାସ କରାଯାଇଛି ବୋଲି ପିଡୀତଙ୍କ ପରିବାର ଅଭିଯୋଗ କରିବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରତିବାଦରେ ସାମିଲ ହେବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ମାସ ୯ ତାରିଖ ଦିନ କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲ ପରିସରରେ ୩୧ ବର୍ଷିୟା ଟ୍ରେନି ଡକ୍ଟର ମୃତ ଦେହ ମିଳିଥିଲା। ଏହି ମାମଲାର ଗମ୍ଭୀରତାକୁ ଦେଖି ସୁପ୍ରିମ କୋର୍ଟ ନିଜଆଡୁ ମାମଲାରେ ହସ୍ତକ୍ଷେପ କରି ପ୍ରଥମ ଶୁଣାଣିରେ ଏହାକୁ ଏକ ଜଘନ୍ୟ ଓ ନାରକୀୟ କାଣ୍ଡ ବୋଲି ଦର୍ଶାଇଥିଲେ। ଏହାସହ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ମଧ୍ୟ ବର୍ଷିଥିଲେ । ସାରା ଦେଶରେ ସ୍ବସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏକ ୧୦ଜଣିଆ ଜାତୀୟ ଟାକ୍ସଫୋର୍ସ ମଧ୍ୟ ଗଠନ କରାଯାଇଥିଲା । ଏହାପରେ ଏହି ଘଟଣାରେ ପି.ବଙ୍ଗ ସରକାର ଉପରେ ଚାପ ବଢିବାରେ ଲାଗିଥିବା ବେଳେ କେନ୍ଦ୍ରୀୟ ସଂସ୍ଥା ‘ସିବିଆଇ’ ତଦନ୍ତ ଜାରି ରଖିଛି। କିନ୍ତୁ ଏବେ ସୁଦ୍ଧା କେବଳ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଓ ଉକ୍ତ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରାଯାଇଛି । କୋଲକାତା ପୋଲିସର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ବଢିଚାଲିଥିବା ବେଳେ ନିକଟରେ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ବର୍ତ୍ତମାନର ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ସ୍ଥିତି ନେଇ ଏକ ଜରୁରୀ କ୍ୟାବିନେଟ ବୈଠକ କରିବା ଓ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।