ଭୁବନେଶ୍ୱର: ଖୁବଶୀଘ୍ର ବଣ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ହେବାକୁ ଯାଉଛି ପାଟ୍ରୋଲିଂ ଭ୍ୟାନ୍। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନର ବ୍ୟବସ୍ଥା କରିଛନ୍ତି । ଏହି କ୍ରମରେ ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି। ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ବିଶେଷ ଭାବେ ଏହି ଗାଡ଼ି ନିର୍ମିତ ହୋଇ ପ୍ରଦାନ କରାଯାଇଛି।
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ସମେତ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ଏହି ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି। ତେବେ ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍ ଦିଆଯାଇଥିବା ବେଳେ ଗୁରୁବାର ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହାର ଶୁଭାରମ୍ଭ ହୋଇଛି। ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି।
ଏହି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍ ଗୁଡିକରେ ଜିପିଏସ୍ ନେଭିଗେସନ୍ ଭଳି ଅନେକ ଆଧୁନିକ ବ୍ୟବସ୍ଥା ଥିବା ସହ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଦରକାର ହେଉଥିବା ବିଭିନ୍ନ ସରଞ୍ଜାମର ବ୍ୟବସ୍ଥା ରହିଛି। ଗାଡ଼ିଗୁଡିକ ଶିକାରୀମାନଙ୍କ ଦୃଷ୍ଟିକୁ ଏଡାଇଯିବା ଭଳି ବିଶେଷ ଭାବରେ ରଙ୍ଗ ହୋଇଥିବା ବେଳେ ଜଙ୍ଗଲରେ ତୀକ୍ଷ୍ମ ଘାଟି ଓ କଷ୍ଟସାଧ୍ୟ ଅଞ୍ଚଳରେ ଚାଲିବା ପାଇଁ ଏହି ଗାଡି ଗୁଡିକରେ ଆବଶ୍ୟକୀୟ ପରିବର୍ତ୍ତନ ହୋଇଛି। ଏହା ସହିତ ଭ୍ୟାନରେ ଅଧିକ ସୁରକ୍ଷା କର୍ମଚାରୀ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭଳି ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଏହି ଭ୍ୟାନ ଗୁଡିକ ସୁରକ୍ଷା କାର୍ଯ୍ୟରେ ନିଯୋଜିତ କରାଯିବ। ଏହାସହିତ ଆଗାମୀ ଦିନରେ ସମ୍ବଲପୁର ଡେବ୍ରିଗଡ଼ ଅଭୟରଣ୍ୟରେ ମଧ୍ୟ ଏହାକୁ ଯୋଗାଇଦେବା ନେଇ ବିଚାର ବମର୍ଷ ଚାଲିଥିବା ସୂଚନା ମିଳିଛି।
ଅପରପକ୍ଷେ ଖୁବଶୀଘ୍ର ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ ୧୪ ମହାବଳ ବାଘ ଆସିବେ। ଏନ୍ଟିସିଏର ଟାଇଗର ରିକଭରି ପ୍ଲାନ୍ ଅନୁସାରେ ୫ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ମିଳିଛି। ପୂର୍ବରୁ ସାତକୋଶିଆରେ ୧୩ରୁ ୧୫ ବାଘ ଥିବାବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଥିବାରୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ହୋଇଥିବା ପିସିସିଏଫ ସୂଚନା ଦେଇଛନ୍ତି।