ଭୁବନେଶ୍ବର: ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି-୨୦୨୦) କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେଥିପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ କରାଯାଇଛି। ଏହାସହିତ ୬ଟି ଥେମାଟିକ୍ ସବକମିଟି ଗଠିତ ହୋଇଥିବା ସୂଚନା ମିଳିଛି। ଏହି କମିଟିରେ ଟିଇ ଆଣ୍ଡ ଏସସିଇଆରଟିର ନିର୍ଦ୍ଦେଶକଙ୍କୁ ଏନଇପି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ଭାବେ ସାମିଲ କରାଯାଇଛି ।
ସୂଚନା ଅନୁସାରେ, ଟାସ୍କଫୋର୍ସ ପୁର୍ନଗଠନ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ଯଥାଶୀଘ୍ର ଏନଇପି-୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ କରାଯାଇଛି । ଏହି ଟାସ୍କଫୋର୍ସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ଆରଆଇଇର ପ୍ରନ୍ସିପାଲଙ୍କୁ ଏକ୍ସଅଫିସୋ ସଦସ୍ୟ ଭାବେ ସାମିଲ କରାଯାଇଛି ।