ଭୁବେନେଶ୍ୱର: ଆସନ୍ତା ୨୧ ତାରିଖ ଓ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବେ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟା ସମୟରେ ଆରମ୍ଭ ହେବାକୁ ଥିବା ବେଳେ ଏହା ଭୁବନେଶ୍ୱରସ୍ଥିତ ୟୁନିଟ-୫ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆୟୋଜିତ ହେବ। ତେବେ ଏହି ଦୁଇଦିନ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅକ୍ଟୋବର ୧୮ ଅର୍ଥାତ ଶୁକ୍ରବାର ସକାଳ ପୂର୍ବାହ୍ନ ୧୧ଟା ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଅଭିଯୋଗ ଶୁଣାଣି ଦିନ ପାଇଁ ସର୍ବାଧିକ ୧୦୦୦ଜଣ ପଞ୍ଜୀକରଣ କରିପାରିବେ ଏବଂ ସେମାନେ ଶୁଣାଣି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି ।
ପଞ୍ଜିକରଣ ପାଇଁ ଆଗ୍ରହୀ ଆବେଦନକାରୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ଦ୍ୱାରା ପଞ୍ଜୀକରଣ କରିପାରିବେ। ଏହାପରେ ଆବେଦନକାରୀ ପଞ୍ଜୀକୃତ ସ୍ଵୀକାରପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ।