କଟକ : ରାଜସ୍ୱ ଓ ନିରୀକ୍ଷକ (ଆର୍ଆଇ), ଅମିନ ନିଯୁକ୍ତି ପରୀକ୍ଷାରେ ଅନିୟମତିତତା ଅଭିଯୋଗକୁ ନେଇ ଦିନକୁ ଦିନ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷାର୍ଥୀ ବିଭିନ୍ନ ଢ଼ଙ୍ଗରେ ନିଜର ଦାବି ଉପସ୍ଥାପନ କରୁଛନ୍ତି । କେତେବେଳେ ଆଡ୍ମିଟ୍ କାର୍ଡକୁ ନଦୀରେ ଢ଼ଙ୍ଗାରେ ଭସାଇଲେଣି ତ ଆଉ କେତେବେଳେ ଆଡ଼ମିଟକାର୍ଡ଼ରେ ନିଆଁରେ ପୋଡ଼ୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ନିଯୁକ୍ତି ଆଶାୟୀ ଚିଠି ଲେଖିଛନ୍ତି । କଟକ ଲିଙ୍କ୍ ରୋଡ଼ ପୋଷ୍ଟ ଅଫିସ୍ରେ ନିକଟରେ ଓଏସ୍ଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଶନିବାର ନିଯୁକ୍ତି ଆଶାୟୀମାନେ ଏକାଠି ହୋଇ ରାଷ୍ଟ୍ରପତିଙ୍କୁ ଗୁହାରି ଜଣାଇବାକୁ ଚିଠି ଲେଖିଛନ୍ତି । ଚିଠିରେ ଦର୍ଶାଇଛନ୍ତି, ଓଏସ୍ଏସ୍ଏସସି ପରୀକ୍ଷାରେ ବ୍ୟାପକ ତ୍ରୁଟି ହୋଇଛି । ଏପରିକି କଳା ତାଲିକାଭୁକ୍ତ କରାଯାଇଥିବା ସଂସ୍ଥାକୁ ଓଏସ୍ଏସ୍ଏସ୍ସି ପରୀକ୍ଷା ଦାୟିତ୍ୱ ଦିଆଯାଇଛି । ତେଣୁ ଉକ୍ତ ପରୀକ୍ଷାକୁ ବାତିଲ କରିବା ସହ ପରୀକ୍ଷାରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଆଶାୟୀମାନେ ଗୁହାରୀ କରିଛନ୍ତି । ଏଭଳି ପ୍ରଦର୍ଶନ ତୃତୀୟ ଥର ହୋଇଥିବା ବେଳେ ନିଯୁକ୍ତି ଆଶାୟୀମାନଙ୍କ ଦାବି କେବଳ ତଦନ୍ତରେ ସୀମିତ ଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି । ତେବେ ସେମାନେ ତଦନ୍ତ ନୁହେଁ ବରଂ ତଦନ୍ତର ଫଳ ଚାହୁଛନ୍ତି ବୋଲି କହିଛନ୍ତି । ଆଗାମୀ ୨୩ ତାରିଖ ଭିତରେ ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହାଲେ ୨୪ରେ ମହାସଂଗ୍ରାମ କରିବେ ବୋଲି ଆଶାୟୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।