ନୂଆଦିଲ୍ଲୀ: ଖୁବଶୀଘ୍ର ପୁଣିଥରେ ରୁଷିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପାଳି ସରକାର ଗଠନ ପରେ ଗତ ଜୁଲାଇ ମାସରେ ପ୍ରଥମଥର ପାଇଁ ରୁଷିଆ ଗସ୍ତରେ ଥିଲେ ମୋଦି। ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ଥିଲା। ଏହି ସମୟରେ ପୁଟିନ ଓ ମୋଦିଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ତେବେ ପୁଣିଥରେ ମୋଦି ଆସନ୍ତା ୨୨- ୨୩ ତାରିଖରେ ରୁଷିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମୟରେ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।
ସୂଚନାଯୋଗ୍ୟ ଯେ, ମୋଦିଙ୍କ ଗସ୍ତ ସମୟରେ ସେ କାଜାନରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଆମନ୍ତ୍ରିତ ନେତା ମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଯେ ବ୍ରିକ୍ସ ଦ୍ୱାରା ଆରମ୍ଭ ହୋଇଥିବା ପଦକ୍ଷେପଗୁଡିକର ଅଗ୍ରଗତିର ଆକଳନ ଏବଂ ଭବିଷ୍ୟତରେ ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ର ଚିହ୍ନଟ କରିବାକୁ ଏହି ସମ୍ମିଳନୀ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ। ପ୍ରକାଶଥାଉ କି, ୨୦୦୬ ମସିହାରେ ବ୍ରାଜିଲ, ରୁଷିଆ, ଭାରତ ଏବଂ ଚୀନ୍ (ବ୍ରିକ୍) ମିଳିତ ଭାବେ ଏହି ଗୋଷ୍ଠୀ ସୃଷ୍ଟି କରିଥିଲେ। ତେବେ ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ଏହି ଗୋଷ୍ଠିରେ ଯୋଗଦେବା ପରେ ଏହା ବ୍ରିକ୍ସ ନାମରେ ପରିବର୍ତ୍ତିତ ହୋଇଥିଲା।