ଚାଷୀଙ୍କ ପାଇଁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁସାରେ ୩ ବର୍ଷରେ ରାଜ୍ୟ ସରକାର ଚାଷୀ ମାନଙ୍କୁ ପ୍ରଦାନ କରିବେ ୨୧ ହଜାର ୬ ଶହ କୋଟି ଟଙ୍କାର ବୋନସ । ୨୦୨୪-୨୫ ଆର୍ଥିକ ବର୍ଷରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ସରକାର । ପ୍ରତି ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ବୋନସ୍ ଦେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଏଥିପାଇଁ ପ୍ରାୟ ୬ ହଜାର ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛିମ । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ସରକାର ୮୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବା ସହିତ ୮୦୦ ଟଙ୍କା ବୋନସ୍ ହିସାବରେ ଚାଷୀଙ୍କୁ ପ୍ରାୟ ୭ ହଜାର କୋଟି ପ୍ରଦାନ କରିବେ । ଏହା ପରେ ୨୦୨୬-୨୭ ବର୍ଷରେ ପ୍ରାୟ ୯୦ ଲକ୍ଷ ମେଟ୍ରିକ ଟନ୍ ଧାନ ଓ ୮୦୦ ଟଙ୍କା ବୋନସ୍ ହିସାବରେ ଚାଷୀଙ୍କୁ ପ୍ରାୟ ୭ ହଜାର ୨ ଶହ କୋଟି ଟଙ୍କା ପ୍ରଦାନ କରାଯିବ ।
ଏତଦବ୍ୟତୀତ ଅନ୍ୟାନ୍ୟ ସହାୟତା ବାବଦରେ ପ୍ରାୟ ୨୧ ହଜାର ୬୦୦ କୋଟି ଟଙ୍କାର ବୋନସ୍ ପ୍ରଦାନ କରିବେ ରାଜ୍ୟ ସରକାର । ରାଜ୍ୟରେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗତ ୧୭ ତାରିଖରେ ନିଆଯାଇଛି ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ୧୭ ତାରିଖ ଅପରାହ୍ଣ ୪ଟା ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସାଶ୍ୱତ କୁମାର ମିଶ୍ରଙ୍କ ଯୁଗ୍ମ ଇ.ଏଫ୍.ସି କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏହି ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମିଳିବା ପରେ ଲାଗୁ ହେବ । ଏନେଇ କୃଷି ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୁଚନା ମିଳିଛି ।