ଭୁବନେଶ୍ୱର (ବ୍ୟୁରୋ): ସାମାନ୍ୟ ବଚସାକୁ କେନ୍ଦ୍ରକରି ନିଜ ପଡୋଶୀକୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ସୋମବାର ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ରମେଶ ବେହେରା ଓ ତାଙ୍କ ଘର ସ୍ଥାନୀୟ ଥାନା ଅନ୍ତର୍ଗତ ଝାରପଡ଼ା ଦୋଳମଣ୍ଡପ ସାହିରେ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ୫ ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଏକ ବିଦେଶୀ ବନ୍ଧୁକକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ଦୁଇଟି ଅପରାଧୀକ ମାମଲା ରହିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ନିଶାଗ୍ରସ୍ତ ଅବସ୍ଥାରେ ନିଜ ପଡ଼ିଶା ଘର ମହିଳାଙ୍କୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲା । ତେବେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବନ୍ଧୁକଟିକୁ ଅଭିଯୁକ୍ତ ରମେଶ ଦୁଇବର୍ଷ ତଳେ ୩୦ ହଜାର ଟଙ୍କାରେ କିଣି ନିଜ ପାଖରେ ରଖିଥିବା ପୋଲିସ ନିକଟରେ ସ୍ୱୀକାର କରିଛି ।
ସୂଚନା ଅନୁଯାୟୀ, ଦୋଳମଣ୍ଡପ ସାହିର ପ୍ଲଟ ନଂ ୧୨୭୨ରେ ଅଭିଯୋଗକାରିଣୀ ପ୍ରିୟଙ୍କା ବେହେରା (୨୯) ନିଜ ପରିବାର ସହ ରୁହନ୍ତି । ଗତ ୫ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ରମେଶ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୋଗକାରିଣୀଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲା । କିଛି ସମୟ ପରେ ଅଭିଯୁକ୍ତର ପତ୍ନୀ ମମିତା ବେହେରା ମଧ୍ୟ ସ୍ୱାମୀ ସହ ମିଶି ଅଭିଯୋଗକାରିଣୀଙ୍କ ଘର ଲୋକଙ୍କୁ ଗାଳିଗୁଲଜ କରିଥିଲା । ଏହାର କିଛି ସମୟ ପରେ ଅଭିଯୁକ୍ତ ରମେଶ ଘରେ ଥିବା ଏକ ବନ୍ଧୁକ ଆଣି ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଦେଖାଇବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଯେହେତୁ ବନ୍ଧୁକଟି ଲୋଡେଡ ଥିଲା, ତେଣୁ ଅଭିଯୋଗକାରିଣୀଙ୍କ ପରିବାର ଲୋକେ ଏଥିରେ ଭୟଭୀତ ହୋଇ ପଡିଥିଲେ । ଏନେଇ ସେମାନେ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ । ପୋଲିସ କଥା ଶୁଣି ଅଭିଯୁକ୍ତ ରମେଶ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲା । ଏନେଇ ପ୍ରିୟଙ୍କା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା । ତେବେ ପୋଲିସ ଗିରଫଦାରୀ ଭୟରେ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ଥିଲା । ୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଝାରପଡ଼ା ଗାଁ ଛକ ସ୍ଥିତ ଏକ ଚା’ ଦୋକାନରେ ଛିଡ଼ା ହୋଇଥିବା ଖବରପାଇ ପୋଲିସ ସେଠାରେ ପହଚି ଅଭିଯୁକ୍ତ ରମେଶକୁ ଗିରଫ କରି କୋର୍ଟଚାଲାଣ କରିଛି ।