ଭୁବନେଶ୍ୱର (ବ୍ୟୁରୋ): ପୂଜା ମଣ୍ଡପରେ ଦାଦାଗିରି ଦେଖାଇବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏନେଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ୩ ଯୁବକମାନେ ହେଉଛନ୍ତି, ସ୍ଥାନୀୟ ଥାନା ଅନ୍ତର୍ଗତ ଚକେଇସିଆଣି ଅଞ୍ଚଳରେ ରହୁଥିବା ଶତ୍ରୁଘ୍ନ ବେହେରା (୩୨), ମା’ ମଙ୍ଗଳା ବସ୍ତିର ଚନ୍ଦନ ବେହେରା (୨୩) ଓ ଅନ୍ୟ ଜଣେ ନାବାଳକ। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ ଖଣ୍ଡା ମଧ୍ୟ ଜବତ କରିଛି ।
ସୂଚନାଥାଉ କି, ଗଣେଷ ପୂଜା ଅବସରରେ ସମେଇଗାଡ଼ିଆ ଅଚଳରେ ଏକ ପୂଜା ମଣ୍ଡପ ନିକଟରେ ମେଲୋଡ଼ି କାର୍ଯ୍ୟକ୍ରମ ଚାଲୁଥିଲା । ଏହି ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଗିରଫ ୩ ଯୁବକ ହଠାତ ରାସ୍ତାକୁ ଅବରୋଧ କରିବା ସହ ରାସ୍ତା ମଝିରେ ଗାଡ଼ି ରଖି ମେଲୋଡ଼ି ଦେଖିବାକୁ ଲାଗିଥିଲେ । ଏହାକୁ ପୂଜା କମିଟିର ମଳୟ ମିଶ୍ର ନାମକ କର୍ମକର୍ତା ବିରୋଧ କରିଥିଲେ । ଏହି ସମାନ୍ୟ କଥାକୁ ନେଇ ୩ ଅଭିଯୁକ୍ତ ଅନ୍ୟ ସହଯୋଗୀଙ୍କ ସହ ମିଶି ମଳୟଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ କମିଟିର ଅନ୍ୟ ସଦସ୍ୟମାନେ ପ୍ରତିବାଦ କରିବା ସହ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଥାନାକୁ ନେବା ସହ ମଳୟଙ୍କ ଅଭିଯୋଗକ୍ରମେ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି ।