ଭୁବନେଶ୍ୱର (ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ ଚଳିତବର୍ଷ କୌଣସି ବି ପାର୍ବଣରେ ଡିଜେ ଯେପରି ନ ବାଜିବ ସେ ନେଇ ସମସ୍ତ ପୂଜା କମିଟିକୁ କଡ଼ା ଚେତାବନୀ ଦିଆଯାଇଛି। ଏପରିକି ଡିଜେ ବଜାଇ ବିସର୍ଜନ ଶୋଭାଯାତ୍ରା କଲେ ସମ୍ପୃକ୍ତ କମିଟି ସଦସ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡିଜେକୁ ସିଜ କରାଯିବା ନେଇ ପୋଲିସ କମିଶନର କଡ଼ା ଭାବେ ସମସ୍ତ ପୂଜା କମିଟି ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ । ଏହାସତ୍ୱେ ମଧ୍ୟ ବାଲିଅନ୍ତା ଥାନା ଅନ୍ତର୍ଗତ କୋକିବାଲି ଗାଁର ପୂଜା କମିଟି ତରଫରୁ ଗଣେଷଙ୍କ ବିସର୍ଜନ ସମୟରେ ଡିଜେର ବ୍ୟବହାର କରାଯାଇଥିଲା । ଫଳରେ ଗାଁ ରାସ୍ତା ପ୍ରଚଣ୍ଡ ଶଦ୍ଧରେ ଫାଟି ପଡ଼ୁଥିଲା । ଏହି ଘଟଣା ପୋଲିସ ନଜରକୁ ଆସିବା ପରେ ତୁରନ୍ତ ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଚି ଡିଜେକୁ ଜବତ କରିବା ସହ କୋକିବାଲି ପୂଜା କମିଟିର ସଭାପତି ସୁବାଷ ନାୟକ, କମିଟିର ସମ୍ପାଦକ ପବିତ୍ର ସାମଲ,କମିଟିର କ୍ୟାସିୟର ବଟକୃଷ୍ଣ ନାୟକ ଓ ଡିଜେ ଗାଡ଼ିର ଚାଳକ ବିଭୁତି ଡାକୁଆଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ପୋଲିସ ଏହି ମାମଲାରେ ଡିଜେ ବୁହା ଗାଡ଼ି (ଓଡ଼ି ୦୨ଏଇ ୯୬୭୯)କୁ ଜବତ କରିଛି ।