ଗ୍ଲାସ୍ଗୋ: କମନୱେଲଥ ଗେମ୍ସକୁ ନେଇ ଭାରତକୁ ମିଳିଛି ଶକ୍ତ ଝଟକା । ପଦକ ସମ୍ଭାବନାରେ ଲାଗିପାରେ ବ୍ରେକ। କମନୱେଲଥ ଗେମ୍ସର ଆୟୋଜକ ସହର ଗ୍ଲାସ୍ଗୋ ୨୦୨୬ ସଂସ୍କରଣରୁ କିଛି ପ୍ରମୁଖ କ୍ରୀଡାକୁ ବାଦ୍ ଦେଇଥିବାରୁ ପଦକକୁ ନେଇ ଏପରି ସମ୍ଭାବନା ରହିଥିବା ସୂଚନା ମିଳିଛି । ତେବେ ଏହାଦ୍ୱାରା ଭାରତକୁ କ୍ଷତି ସହିବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଛି । ତଥ୍ୟ ଅନୁସାରେ ଭାରତକୁ ପଦକ ମିଳିବା ସମ୍ଭାବ୍ୟ କ୍ରୀଡା ମଧ୍ୟରେ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ ଏବଂ ଶୁଟିଂ ଭଳି କ୍ରୀଡାକୁ ବାଦ୍ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ପୂର୍ବ ସଂସ୍କରଣ ମାନଙ୍କରେ ବାଦ ଦିଆଯାଇଥିବା କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବାରେ ସଫଳ ହୋଇଥିଲା। ୨୦୨୨ ମସିହାରେ ବର୍ମିଙ୍ଗହାମରେ ଆୟୋଜିତ ହୋଇଥିବା କମନୱେଲଥ ଗେମ୍ସ ସଂସ୍କରଣରେ ଭାରତ ସମୁଦାୟ ୬୧ଟି ପଦକ ଜିତିଥିଲା । ସେଥିମଧ୍ୟରୁ ୨୨ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ଥିଲା । ତେବେ ଏହି ୬୧ଟି ପଦକ ମଧ୍ୟରୁ ଭାରତ ୬ଟି ପଦକ ବ୍ୟାଡମିଣ୍ଟନରେ, ୨ଟି ପଦକ ହକିରେ, ୧ଟି କ୍ରିକେଟରେ, ୭ଟି ପଦକ ଟେବୁଲ ଟେନିସରେ ଓ ୧୨ଟି ପଦକ ରେସଲିଂରେ ହାସଲ କରିଥିଲା । କିନ୍ତୁ ୨୦୨୬ ମସିହା ସଂସ୍କରଣରେ ବଜେଟ ସୀମିତ ରଖିବା ଦିଗରେ ପଦକ୍ଷେପ ନିଆଯାଇ ଏହି ୫ଟି କ୍ରୀଡାକୁ ତାଲିକାରୁ ହଟାଇଦିଆଯାଇଛି ।
ପ୍ରକାଶଥାଉ କି, ଆସନ୍ତା ୨୦୨୬ ମସିହାରେ ଗ୍ଲାସ୍ଗୋରେ ଅନୁଷ୍ଠିତ ହେବାକୁ ଯାଉଛି କମନୱେଲଥ ଗେମ୍ସ । ତେବେ ଏହା ପୂର୍ବରୁ ବଜେଟ ଉପଯୋଗୀ କ୍ରୀଡ଼ା ମାନଙ୍କର ଏକ ତାଲିକା ପ୍ରକାଶ କରିଛି ଗ୍ଲାସ୍ଗୋ। ଏହି ତାଲିକାରେ ୧୦ ଖେଳର ନାମ ପ୍ରକାଶିତ ହୋଇଛି । ତେବେ ଏହି ତାଲିକା ଅନୁଯାୟୀ ବଜେଟ ସୀମିତ ରଖିବା ଏବଂ ଲଜିଷ୍ଟିକ୍ସକୁ ଶୃଙ୍ଖଳିତ କରିବା ପାଇଁ ଟେବୁଲ ଟେନିସ, ସ୍କ୍ବାସ ଏବଂ ଟ୍ରାଇଥଲନ ଖେଳକୁ ମଧ୍ୟ ବାଦ୍ ଦିଆଯାଇଛି। ପୂର୍ବରୁ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୨୦୨୬ ମସିହାରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ କମନୱେଲଥ ଗେମ୍ସ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ଦ୍ଧିତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଓହରି ଯାଇଥିବା ବେଳେ ବର୍ତ୍ତମାନ ଏହା ସ୍କଟଲାଣ୍ଡର ଗ୍ଲାସ୍ଗୋରେ ଅନୁଷ୍ଠିତ ହେବାକୁ ଯାଉଛି।