ମସ୍କୋ : ବୁଧବାର ଠାରୁ ରୁଷିଆର କାଜାନ ସହରରେ ଆୟୋଜିତ ହେଉଛି ୧୬ତମ ବ୍ରିକ୍ସ ସମ୍ମିଳନୀ । ସେଥିପାଇଁ ମଙ୍ଗଳବାରଠାରୁ ୨ ଦିନିଆ ରୁଷ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ମଙ୍ଗଳବାର ରୁଷରେ ପହଂଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କାଜାନରେ ମୋଦୀ ପହଞ୍ଚିବା ପରେ ରିପବ୍ଲିକ ଅଫ୍ ତାତାରସ୍ତାନ ରୁସ୍ତମ ମିନିଖାନୋଭର ମୁଖ୍ୟ ତାଙ୍କୁ ସ୍ବାଗତ କରିଥିଲେ। ମୋଦୀଙ୍କୁ ରୁଷର ନାଗରିକମାନେ କୃଷ୍ଣ ଭଜନ ମାଧ୍ୟମରେ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ ଯେ, ସାଧାରଣତଃ ରାଜନେତାଙ୍କ ବିଦେଶ ସମୟରେ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଉଥିବା ବେଳେ ମୋଦି କାଜାନରେ ପହଂଚିବା ପରେ ଭାରତୀୟ ବଂଶୋଦ୍ଭବ ରୁଷ୍ ନାଗରିକମାନେ ସାମୂହିକ କୃଷ୍ଣ ଭଜନ ଗାନ କରି ସ୍ୱାଗତ ଜଣାଇଥିବା ଦେଖିବାକୁ ମିଳିଛି। ଏହା ସହିତ ତ୍ରିରଙ୍ଗା ପତାକା ଧରି ସଂସ୍କୃତରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ରୁଷ ନାଗରିକମାନେ।
ମଙ୍ଗଳବାର ମୋଦି କାଜାନରେ ପହଂଚିବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବା ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି। ଏହି ସମୟରେ ୟୁକ୍ରେନ-ରୁଷ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ପୁଟିନଙ୍କୁ କହିଛନ୍ତି। ରୁଷ୍-ୟୁକ୍ରେନ ଯୁଦ୍ଧକୁ ଦୁଇବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ହେବା ପାଇଁ ଯୁଦ୍ଧ ପରିବର୍ତ୍ତେ କୂଟନୈତିକ ଆଲୋଚନା ଦରକାର ବୋଲି କହିଛନ୍ତି ମୋଦୀ ।