ମସ୍କୋ: ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷିଆର କାଜାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥର ପୁଟିନଙ୍କ ଅଧ୍ୟକ୍ଷତାରେ ରୁଷସ୍ଥିତ କାଜାନଠାରେ ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଭାରତ, ରୁଷ୍, ଚୀନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ ସଦସ୍ୟ ଯୋଗଦେବାକୁ ଯାଉଛନ୍ତି। ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ରୁଷରେ ପହଞ୍ଚି ସେଠାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଉଭୟ ପରସ୍ପରକୁ ଦେଖିବା ମାତ୍ରେ କୋଳାଗ୍ରତ କରିବା ସହ ମୋଦି ଏକ ବଡ଼ ଘୋଷଣା କରି କାଜାନରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ବନ୍ଧୁତା, ଭବ୍ୟ ସ୍ବାଗତ ଏବଂ ଆତିଥ୍ୟ ପାଇଁ ହୃଦୟରୁ କୃତଜ୍ଞାତା ଜଣାଉଛି। ଏହି ସହର ସହିତ ଭାରତର ଗଭୀର ଏବଂ ଐତିହାସିକ ସମ୍ପର୍କ ରହିଛି, ତେଣୁ କାଜାନରେ ଖୁବଶୀଘ୍ର ଭାରତର ଏକ ନୂତନ ଦୂତାବାସ ଖୋଲାଯିବ। ଏହାଦ୍ୱାରା ଏହି ସମ୍ପର୍କ ଆହୁରି ମଜଭୁତ ହେବ।’
ତେବେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, “ମୁଁ ଆପଣଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ମୁଁ ପୂର୍ବରୁ କହିଛି ଯେ, ଆମେ ବିଶ୍ୱାସ କରୁ ଯେ ସମସ୍ୟାର ସମାଧାନ ହୋଇପାରିବ। ଆମେ ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ। ଆମର ସମସ୍ତ ପ୍ରୟାସରେ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।”
ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ପୁଟିନ କହିଛନ୍ତି ଯେ, “ମୋର ମନେ ଅଛି ଯେ ଜୁଲାଇରେ ଆମେ ସାକ୍ଷାତ କରିଥିଲୁ ଏବଂ ଅନେକ ପ୍ରସଙ୍ଗରେ ବହୁତ ଭଲ ଆଲୋଚନା କରିଥିଲୁ। ଆମେ ଅନେକ ଥର ଟେଲିଫୋନରେ ମଧ୍ୟ କଥା ହୋଇଥିଲୁ। ଆଜି ଆମେ ବ୍ରିକ୍ସ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବୁ ଏବଂ ତା’ପରେ ରାତ୍ରୀ ଭୋଜନ କରିବୁ।”