ନୂଆଦିଲ୍ଲୀ: ଆଗାମୀ କିଛି ଦିନ ମଧ୍ୟରେ କେରଳର ୱାୟନାଡ଼ ଲୋକସଭା ଆସନରେ ହେବାକୁ ଯାଉଛି ଉପନିର୍ବାଚନ । ତେବେ ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ନବ୍ୟା ହରିଦାସ। ସେଥିପାଇଁ ନିକଟରେ ନାମାଙ୍କନ ପତ୍ର ସହ ସତ୍ୟପାଠ ଦାଖଲ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଏହାକୁ ନେଇ ପ୍ରିୟଙ୍କାଙ୍କୁ ଟାର୍ଗେଟ କରିଛି ବିଜେପି।
ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଦାଖଲ କରିଥିବା ସତ୍ୟପାଠ ଅନୁସାରେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କର ମିଳିତ ସମ୍ପତ୍ତି ୭୮ କୋଟି ଟଙ୍କା । ସତ୍ୟପାଠରେ ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି ଯେ ପ୍ରିୟଙ୍କାଙ୍କର ୧୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ନାମରେ ୬୫ କୋଟି ଟଙ୍କାର ସମ୍ପତ୍ତି ଅଛନ୍ତି । ଉଭୟଙ୍କର ଦେଣା ୧୦ କୋଟି ଟଙ୍କାରୁ ଅଧିକ ରହିଛି । ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ପ୍ରିୟଙ୍କା ଦର୍ଶାଇଛନ୍ତି ଯେ ତାଙ୍କ ନିକଟରେ ୪.୨୭ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ସମେତ ୧.୧୫ କୋଟି ଟଙ୍କା ମୂଲ୍ୟର ୪୪୦୦ ଗ୍ରାମ ସୁନା ରହିଛି । ସେହିପରି ତାଙ୍କର ସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ୭.୪୧ କୋଟି ଟଙ୍କା ଦର୍ଶାଇଛନ୍ତି ।
ତେବେ ଏହାକୁ ନେଇ ଗୁରୁବାର ବିଜେପି ମୁଖପାତ୍ର ଗୌରବ ଭାଟିଆ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପ୍ରିୟଙ୍କା ଦାଖଲ କରିଥିବା ସତ୍ୟପାଠ ଦୁର୍ନୀତିର ସ୍ୱୀକାର, ଯାହା ତାଙ୍କ ପରିବାର ଓ ରବର୍ଟ ଭଦ୍ରା କରିଆସୁଛନ୍ତି। ଏହି ସତ୍ୟପାଠରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସମ୍ପତ୍ତି କମ୍ ଥିବା ବେଳେ ଆୟକର ବିଭାଗର ଟିକସ ଦାବି ଅଧିକ ବୋଲି କହିଛନ୍ତି ଭାଟିଆ। ସେହିପରି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପତ୍ତି ଘୋଷଣା ପରେ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ପ୍ରଶ୍ନ ଉଠୁଛି ପ୍ରିୟଙ୍କା ଭଦ୍ରାଙ୍କ ଆୟର ଉତ୍ସ କ’ଣ? ସତ୍ୟପାଠ ଅନୁଯାୟୀ ପ୍ରିୟଙ୍କା ୨୦୧୩ରେ ଏକ ଜମି କିଣିଥିଲେ। ସେହି ଜମିର ମୂଲ୍ୟ ୫ ଗୁଣ ବୃଦ୍ଧି ପାଇଛି। ସେହି ଜମି କିଣିବା ପାଇଁ ତାଙ୍କର ରୋଜଗାରର ଉତ୍ସ କ’ଣ ଥିଲା? ତେବେ ପ୍ରିୟଙ୍କା କଣ ତାଙ୍କ ସ୍ୱାମୀଙ୍କ ଭଳି ସମାନ ଜମି କାରବାରରେ ସମ୍ପୃକ୍ତ କି ବୋଲି ପରୋକ୍ଷ ଭାବେ ପଚାରିଛନ୍ତି ଭଣ୍ଡାରୀ।