ଭୁବନେଶ୍ୱର: ଶୁକ୍ରବାର ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଥିବା ବେଳେ ଶନିବାର ରାଜ୍ୟର ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବା ନେଇ ସୂଚନା ମିଳିଛି । ତେବେ ସ୍ଥିତି ଅନୁଧ୍ୟାନ କରିବା ପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ କରି ଆଲୋଚନା କରିବେ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ପହଂଚି ବାତ୍ୟା ଦାନା ପରବର୍ତ୍ତୀ ସ୍ଥିତି ମୁକାବିଲା ନେଇ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଏହି ବୈଠକରେ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁ ରାଜ୍ୟରେ ୧ ଲକ୍ଷ ୭୫ ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବା ନେଇ ସୂଚନା ମିଳିଛି।
ଶନିବାର ମୁଖ୍ୟମନ୍ତ୍ରୀ ଆକାଶମାର୍ଗକୁ ସ୍ଥିତି ଅନୁଧ୍ୟାନ କରିବା ସହ ବିଜୁଳି ସେବା ଆଜି ଅପରାହ୍ଣ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରଭଙ୍ଗା କ୍ଷତି ସମ୍ପର୍କରେ ଆକଳନ କରିବେ ରାଜସ୍ୱ ବିଭାଗ ଅଧିକାରୀ । ସେହିପରି ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘରର ତୁରନ୍ତ ମରାମତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘରକୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।