ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୫୪ତମ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ କ୍ୟାନସର ଔଷଧରେ ଜିଏସଟି ପରିମାଣକୁ ହ୍ରାସ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଉପରେ ସାମଗ୍ରୀ ଓ ସେବା ଟିକସକୁ ହ୍ରାସ କରାଯାଇଛି । ପୂର୍ବରୁ କ୍ୟାନସର ଔଷଧ ପାଇଁ ୧୨% ଜିଏସଟି ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହାକୁ ହ୍ରାସ କରାଯାଇ ୫% କରାଯାଇଛି । ବୈଠକରେ ଟ୍ରାଷ୍ଟୁଜୁମାବ ଡେରୁକ୍ସଟେକାନ୍, ଓସିମେଟିନିବ ଏବଂ ଡୁର୍ଭାଲୁମାବ ଉପରେ ଜିଏସଟି ହାରକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ, ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି। କ୍ୟାନସର ମେଡିସିନ ବ୍ୟତିତ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ (ନମକିନ୍ ଓ ସ୍ପାଇସି) ଉପରୁ ମଧ୍ୟ ଜିଏସଟି ହ୍ରାସ କରାଯାଇଛି। ଏହି ଖାଦ୍ୟ ସାମଗ୍ରୀ ଉପରେ ପୂର୍ବରୁ ୧୮% ଜିଏସଟି ଥିବା ବେଳେ ଏହାକୁ ୧୨%କୁ ହ୍ରାସ କରାଯାଇଛି । ସେହିପରି ସୋଲାର କୁକର, ସମସ୍ତ ପ୍ରକାର ଟିଣ ଦୁଗ୍ଧ ଡବା, ଅଗ୍ନି ନିର୍ବାପକ ଯନ୍ତ୍ର ଓ କାର୍ଟୁନ ବାକ୍ସ ଉପରେ ୧୨% ଜିଏସଟି ଲାଗିବ। ସେହିପରି କାର ଓ ମୋଟର ସାଇକେଲ ସିଟ୍ ଉପରେ ଜିଏସଟିକୁ ୧୮% ରୁ ୨୮%କୁ ବଢାଇ ଦିଆଯାଇଥିବା ବେଳେ ବ୍ୟାଟେରୀ ଚାଳିତ ଯାନ ଉପରେ ଜିଏସଟି ଛାଡ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ଆଇନ ଦ୍ବାରା ଗଠିତ ବିଶ୍ବବିଦ୍ୟାଳୟ ଓ ରିସର୍ଚ୍ଚ ସେଣ୍ଟର ଗୁଡିକୁ ଅନୁଦାନ ଉପରେ ଜିଏସଟି ଛାଡ ହୋଇଛି। ତେବେ ଜିଏସଟି କ୍ଷତିପୂରଣ ସେସ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସେହିପରି ଧାର୍ମିକ ଯାତ୍ରା ଲାଗି ହେଲିକପ୍ଟର ସେବା ଉପରେ ଜିଏସଟି ୧୮%ରୁ ୫%କୁ ହ୍ରାସ କରାଯାଇଛି । ଅନଲାଇନ ଗେମିଂରେ ରାଜସ୍ବ ୪୧୨% ପ୍ରତିଶତ ବୃଦ୍ଧି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ।
ଅପରପକ୍ଷରେ, ଏହି ବୈଠକରେ ଜୀବନ ଓ ସ୍ବାସ୍ଥ୍ୟବୀମା ଉପର ଜିଏସଟି ହ୍ରାସ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ଏଥି ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠନ କରାଯାଇଛି । ବର୍ତ୍ତମାନ ଜୀବନ ଓ ସ୍ବାସ୍ଥ୍ୟବୀମା ଉପରେ ୧୮% ଜିଏସଟି ରହିଛି । ତେବେ ଆସନ୍ତା ମାସରେ ବୋର୍ଡ ପକ୍ଷରୁ ଏନେଇ ରିପୋର୍ଟ ଦେବା ପରେ ନଭେମ୍ବରେ ହେବାକୁ ଥିବା ଜିଏସଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ।