ଭୁବନେଶ୍ବର: ଅକ୍ଟୋବର ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି ୩୬ତମ ଉପକନିଷ୍ଠ ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା । ଚେନ୍ନାଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍ଭୀ ପତ୍ରୀ ବିଶେଷ ସଫଳତା ପାଇଛନ୍ତି । ସେ ଉଭୟ ୧୫ ଓ ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ବିଜୟିନୀ ହୋଇ ଦ୍ବିମୁକୁଟ ହାସଲ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଏସୀୟ ବିଜୟିନୀ ତନ୍ଭୀ ୧୫ ବର୍ଷରୁ କମ୍ ବର୍ଗ ଏକକ ଫାଇନାଲ୍ରେ କର୍ଣ୍ଣାଟକର ଐକ୍ୟା ସେଟ୍ଟୀଙ୍କୁ ୨୦-୨୨, ୨୧-୦, ୨୧-୧୪ରେ ହରାଇ ବିଜୟଲାଭ କରିଥିବା ବେଳେ ୧୭ ବର୍ଷରୁ କମ୍ରେ ମହାରାଷ୍ଟ୍ରର ନୈଶା କୌର ଭତୋୟେଙ୍କୁ ୨୧-୭, ୨୧-୭ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି ।
ତେବେ ପ୍ରଥମ ଥର ପାଇଁ ସେ ଏହି ଦୁଇ ବର୍ଗରେ ଜାତୀୟ ବିଜୟିନୀ ହୋଇଥିବା ସୂଚନା ମିଳିଛି। ୧୩ ବର୍ଷୀୟା ତନ୍ଭୀ ଏହି ଦୁଇ ପ୍ରତିଯୋଗିତାରେ ୧୨ ମ୍ୟାଚ୍ ଖେଳି କେବଳ ଗୋଟିଏ ରାଉଣ୍ଡ ହାରିଥିଲେ। ପ୍ରକାଶଥାଉ କି, ୧୩ ବର୍ଷୀୟା ତନ୍ଭୀ ରବି ପତ୍ରୀ ଓ ଶୈଳବାଳା ପଣ୍ଡାଙ୍କ କନ୍ୟା ହୋଇଥିବା ବେଳେ ସଂପ୍ରତି ସେ ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍ମିଣ୍ଟନ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ସେ ୨୦୨୨ ଓ ୨୦୨୩ ମସିହାରେ ୧୩ ବର୍ଷରୁ କମ୍ ବର୍ଗରେ ୨ ଥର ଜାତୀୟ ବିଜୟିନୀ ହୋଇଥିଲେ। ତେବେ ଆଗକୁ ତନ୍ଭୀ ୧୭ ଓ ୧୯ ବର୍ଷରୁ କମ୍ ବର୍ଗରେ ଜାତୀୟ ଟ୍ରଫି ଜିତିବା ଲକ୍ଷ୍ୟ ରଖିବା ସହ ଅଲିମ୍ପିକ୍ସ ପଦକ ଆଶା ରଖିଥିବା କହିଛନ୍ତି।