ପୁଣେ: ପୁଣେରେ ଆୟୋଜିତ ଭାରତ-ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ମ୍ୟାଚରେ ଦୀର୍ଘ ୧୨ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ ୧୧୩ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିଛି। କିନ୍ତୁ ଏହି ମ୍ୟାଚରେ ଯଶସ୍ୱୀ ଜୈସୱାଲ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୬୫ଟି ବଲରୁ ୭୭ ରନର ଇନିଂସ ଖେଳିଥିବା ବେଳେ ଏଥିରେ ୯ଟି ଚୌକା ଓ ୩ଟି ଛକା ଅନ୍ତର୍ଭୁକ୍ତ। ତେବେ ତାଙ୍କର ଏହି ଇନିଂସ ପାଇଁ ସେ ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି। ଭାରତୀୟ ଟେଷ୍ଟ କ୍ରିକେଟର ୯୨ ବର୍ଷର ଇତିହାସରେ ଜୈସୱାଲ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୦ କିମ୍ବା ତା’ ଠାରୁ ଅଧିକ ଛକା ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୪ ବର୍ଷଟି ଜୈସୱାଲଙ୍କ କ୍ୟାରିୟର ପାଇଁ ବେଶ ଚମତ୍କାର ରହିଥିବା ଦେଖିବାକୁ ମିଳିଛି । ସେ ଏହି ବର୍ଷ ୧ ହଜାରରୁ ଅଧିକ ରନ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଜୈସୱାଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ୩ଟି ଛକା ମାରି ନିଜର ଛକା ସଂଖ୍ୟାକୁ ୩୨ରେ ପହଞ୍ଚାଇଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାରେ ଜୈସୱାଲ ଏବେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତାଙ୍କ ଉପରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ନ୍ୟୁଜିଲ୍ୟାଣ୍ଡର ବ୍ରାଣ୍ଡନ ମ୍ୟାକକୁଲମ ରହିଛନ୍ତି। ମ୍ୟାକକୁଲମ ୨୦୧୪ରେ ୩୩ଟି ଛକା ମାରିଥିଲେ। ତବେ ଏହାକୁ ଅତିକ୍ରମ କରିବା ଜୈସୱାଲଙ୍କ ପାଇଁ ଅଧିକ କଷ୍ଟସାଧ୍ୟ ହେବନାହିଁ କାରଣ ତାଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ଚଳିତ ବର୍ଷ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବେ ତେଣୁ ଏହି ରେକର୍ଡ ଭାଙ୍ଗିବାର ସମ୍ଭାବନା ଖୁବ ଅଧିକ ରହିଛି। ସେହିପରି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ୪ଟି ଟେଷ୍ଟ ମଧ୍ୟ ଖେଳାଯିବ। ତେବେ ଏଥିରେ ଯଦି ଜୈସୱାଲ ସୁଯୋଗ ପାଆନ୍ତି, ତା’ହେଲେ ସେ ନିଶ୍ଚିତ ମ୍ୟାକକୁଲମଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବାର ସମ୍ଭାବନା ରହିଛି।