ଭୁବନେଶ୍ୱର : ଲକ୍ଷ୍ମୀସାଗରସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଖୋର୍ଦ୍ଧା ଜିଲ୍ଲା ଟିଟି ସଂଘ (କେଡିଟିଟିଏ) ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ରାଜ୍ୟ ବ୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିଅନସିପ୍ । ଉଦ୍ଯାପନୀ ସମାରୋହରେ କେଡିଟିଟିଏର ସଭାପତି ବିଜନ ଦାସ ମହାପାତ୍ର, କାର୍ଯ୍ୟକାରୀ ସଭାପତି ତ୍ରୈଲୋକ୍ୟ ନାଥ ରାଉତ, ଉପସଭାପତି ଶଶାଙ୍କ ଶେଖର ମହାପାତ୍ର, ସମ୍ପାଦକ ଦେବଦତ୍ତ ମହାନ୍ତି, ପୂର୍ବତନ ସମ୍ପାଦକ ସ୍ମୃତିରଂଜନ ଦାସ, ପିକେ ସାମନ୍ତରାୟ, ରଞ୍ଜିତା ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ବ୍ୟାଙ୍କିଙ୍ଗ୍ ଟେବୁଲ ଟେନିସ ଚାମ୍ପିଅନସିପ୍ ଉଦଯାପିତ ହୋଇଥିବା ବେଳେ ଏଥିରେ ମହିଳା ସିଙ୍ଗଲ୍ସରେ ଶ୍ଵେତପଦ୍ମା ଦଳେଇ ଏବଂ ପୁରୁଷ ସିଙ୍ଗଲ୍ସରେ ମୈନକ ଦାସ ଚାମ୍ପିଅନ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ଓ ୧୯ ବର୍ଷରୁ କମ୍ ବାଳିକା ବର୍ଗରେ ଶ୍ଵେତପଦ୍ମା ଟାଇଟଲ ଜିତିଥିବା ବେଳେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ମୈନକ ୪-୩ରେ ତୁଷାର ଚୌହାନଙ୍କୁ ପରାଜିତ କରି ଚମ୍ପିୟାନ ହୋଇଛନ୍ତି। ସେହିପରି ୧୯ ବର୍ଷରୁ କମ୍ ବାଳକ ବର୍ଗରେ ଜିଜ୍ଞାସୁ ସାହୁ ମହମ୍ମଦ ଜିସାନଙ୍କୁ ୪-୦ରେ ହରାଇ ଚାମ୍ପିଅନ ହୋଇଛନ୍ତି।
ଅପରପକ୍ଷରେ ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ସାକ୍ଷୀ ଭଗତଙ୍କୁ, ଉର୍ଜା ୪-୦ରେ ପରାଜିତ କରି ବିଜୟ ହାସଲ କରିଥିବା ବେଳେ ୧୫ ବର୍ଷରୁ କମ୍ ବାଳିକା ବର୍ଗରେ ଉର୍ଜା ୩–୧ରେ ଶ୍ଵେତା ବର୍ମାଙ୍କୁ ହରାଇ ଚମ୍ପିୟାନ ହୋଇଛନ୍ତି । ବାଳକ ବିଭାଗରେ ଜିଜ୍ଞାସୁ ପ୍ରଧାନ ୩-୦ରେ ଆୟୁସ୍ମାନ ପତିଙ୍କୁ ହରାଇ ବିଜେତା ହୋଇଥିବା ବେଳେ ୧୧ ବର୍ଷରୁ କମ୍ ବାଳିକାରେ ଆରାଧ୍ୟା ସାହୁ ୩-୧ରେ ଅନ୍ଵେଷା ଅନିରୁଦ୍ଧଙ୍କୁ ହରାଇ ବିଜୟ ହାସଲ କରଛନ୍ତି । ବାଳକ ବର୍ଗରେ ଅଭନିଶ ସୁବ୍ରମଣ୍ୟମ ସୁବିତ ପ୍ରଧାନଙ୍କୁ ୩-୦ରେ ହରାଇଥିବା ବେଳେ ୧୩ ବର୍ଷରୁ କମ୍ ବାଳିକା ବର୍ଗରେ ଆରାଧ୍ୟା ୩-୦ରେ ଶ୍ଵେତା ବର୍ମାଙ୍କୁ ଏବଂ ବାଳକ ବର୍ଗରେ ଜିଜ୍ଞାସୁ ପ୍ରଧାନ ସୟଦ ଅଲିଙ୍କୁ ୩-୦ରେ ପରାସ୍ତ କରି ଚମ୍ପିୟାନ ଟାଇଟଲ ହାସଲ କରିଥିଲେ।