ପୁରୀ : କାର୍ତ୍ତିକ ମାସ ପାଇଁ ସମଗ୍ର ପୁରୀ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେଉଛି ପଞ୍ଚୁକବ୍ରତ । କିନ୍ତୁ ଚଳିତ ବର୍ଷ ୫ ଦିନ ନୁହେଁ ବରଂ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶ ଦର୍ଶନର ସୁଯୋଗ ମିଳିବ । ତେବେ ଚଳିତ ବର୍ଷ ଭକ୍ତ ମାନେ ତିଥି କ୍ଷୟ ଯୋଗୁଁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନରୁ ବଞ୍ଚିତ ହେବା ନେଇ ସୂଚନା ମିଳିଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଯାଇଥିବା ବେଳେ ପ୍ରଥମ ଦିନ ଲକ୍ଷ୍ମୀନାରାୟଣ ବେଶ, ଦ୍ବିତୀୟ ଦିନ ବାଙ୍କଚୁଡ଼ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ ଏବଂ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦୁର୍ଲ୍ଲଭ ରାଜରାଜେଶ୍ୱର ତଥା ସୁନାବେଶ ଅନୁଷ୍ଠିତ ହେବା ନେଇ ଚୁଡାନ୍ତ ହୋଇଛି ।
ଅପରପକ୍ଷରେ ପଞ୍ଚୁକ ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଏବଂ ବଡ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ୪ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକ ନିକଟରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏହାସହିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାପକ କରାଯାଇଛି । ତେବେ ଏନେଇ ଏସ୍ପି ବିନୀତ୍ ଅଗ୍ରୱାଲ କହିଛନ୍ତି ଯେ, ‘ପଞ୍ଚୁକ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି। ହବିଷ୍ୟାଳୀ ମା’ ଏବଂ ଅନ୍ୟ ଭକ୍ତମାନେ ଯେପରି ବାଧାମୁକ୍ତ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି । ପଞ୍ଚୁକ ପାଇଁ ମୋଟ ୩୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏତଦ୍ବ୍ୟତୀତ ୫ଜଣ ଅତିରିକ୍ତ ଏସ୍ପି, ୧୪ ଜଣ ଡିଏସ୍ପି, ୨୬ ଇନ୍ସପେକ୍ଟର ମଧ୍ୟ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ।’