ମୁମ୍ବାଇ: ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା ହେବାକୁ ଯାଉଛି । ତେବେ ଏହାର ମାତ୍ର କିଛି ଦିନ ପୂର୍ବରୁ କଂଗ୍ରେସ ମଧ୍ୟରେ କନ୍ଦଳ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ନେଇଛି ଏକ ବଡ଼ ନିଷ୍ପତ୍ତି। ଏହି ନିଷ୍ପତ୍ତିକ୍ରମେ ରବିବାର ଦଳର ୨୮ ଜଣ ମୁଖ୍ୟ ଚେହେରାଙ୍କୁ ନିଲମ୍ବିତ କରିଛି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି।
ସୂଚନା ଅନୁଯାୟୀ, ନିକଟରେ ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ୨୮ ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କ ନାମ ନଥିଲା। ତେଣୁ ଏହି ପ୍ରାର୍ଥୀମାନେ ଟିକେଟ ନ ପାଇବାରୁ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ବିଦ୍ରୋହ କରୁଥିବା ସୂଚନା ମିଳିଥିଲା। ତେବେ ସେମାନଙ୍କର ଏହି ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ପକ୍ଷରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି(ଏମପିସିସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇ ଗତ ରବିବାର ଅପରାହ୍ନ ସୁଦ୍ଧା ମୋଟ ୨୧ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ରାତି ସୁଦ୍ଧା ଆଉ ୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ବିଦ୍ରୋହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଦଳର ବଡ଼ ବଡ଼ ନେତା ରହିଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ରାମଟେକ ନିର୍ବାଚନମଣ୍ଡଳୀର ରାଜେନ୍ଦ୍ର ମୁଲକ, କାଟୋଲର ଯଜ୍ଞବାଲକ ଜିଚକାର, କସବାର କମଲ ବ୍ୟହ୍ବାରେ, କୋପ୍ରି ପାଚପଖାଡ଼ିର ମନୋଜ ସିନ୍ଦେ ଏବଂ ପାର୍ବତୀ ନିର୍ବାଚନମଣ୍ଡଳୀ ଆବା ବାଗୁଲ ରହିଥିବା ସୂଚନା ମିଳିଛି। ଏମାନଙ୍କ ସମେତ ଅନ୍ୟ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିବା ଏମପିସିସି ନେତା ରମେଶ ଚେନ୍ନିଥାଲା ପ୍ରକାଶ କରିଛନ୍ତି।