ଭୁବନେଶ୍ୱର,ତା ୯ା୯(ବ୍ୟୁରୋ) : ଜନସେବା କେନ୍ଦ୍ରରେ ଆଧାର କାର୍ଡ ଅପଡେଟ ନ ହେବାକୁ ନେଇ ଭଙ୍ଗାରୁଜା କରିବା ଏବଂ କେନ୍ଦ୍ରରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ଲକ୍ଷ୍ମୀସାଗର ଥାନା ପୋଲିସ ମଙ୍ଗଳବାର ଜଣେ ବାଉନ୍ସରକୁ ଗିରଫ କରିଛି । ଗିରଫ ବାଉନ୍ସରର ନାମ ସୌରଭ ମାଇତି ଓରଫ ରାଜା (୩୨) । ସୌରଭର ନିଜ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେ ବର୍ତମାନ ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱରଟାଙ୍ଗୀ ପ୍ଲଟନଂ ୭୫ରେ ଅଚଳରେ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସୌରଭ ନିଜ ମା’ଙ୍କ ଆଧାରକାର୍ଡ ଅପଡେଟ ସଂକ୍ରାନ୍ତୀୟ ତଥ୍ୟ ଜାଣିବାକୁ ସ୍ଥାନୀୟ ଥାନା ଅନ୍ତର୍ଗତ ବଡ଼ଗଡ଼ ସ୍ଥିତ ଜନସେବା କେନ୍ଦ୍ରକୁ ଯାଇଥିଲେ । ସେଠାରେ ସେ ଜନସେବା କେନ୍ଦ୍ରର କର୍ମଚାରୀଙ୍କୁ ଆଧାର ଅପଟେଡ ବାବଦରେ ତଥ୍ୟ ପଚାରିଥିଲେ । ଜନସେବା କେନ୍ଦ୍ରର କର୍ମଚାରୀଙ୍କ ଉତରରେ ସନ୍ତୋଷ ନ ହୋଇ ସୌରଭ ଉକ୍ତ କେନ୍ଦ୍ରରେ ଭଙ୍ଗାରୁଜା କରିବା ସହ ମାଡ଼ଧରି ଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ସୌରଭଙ୍କୁ ମଙ୍ଗଳବାର ଗିରଫ କରିଛି