ଭୁବନେଶ୍ୱର: ଓଡିଶା ପାଇଁ ବିଶ୍ୱସ୍ତରୀୟ ଗୌରବ ସୃଷ୍ଟି କରିଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ତ୍ରିଷ୍ଣା ରାୟ। ଦକ୍ଷିଣ ଆଫ୍ରିକାସ୍ଥିତ କିମ୍ବର୍ଲିରେ ଅନୁଷ୍ଠିତ ‘ମିସ୍ ଟିନ୍ ୟୁନିଭର୍ସ-୨୦୨୪’ରେ ସମଗ୍ର ବିଶ୍ୱର ସୁନ୍ଦରୀମାନଙ୍କୁ ପଛରେ ପକାଇ ବିଜୟୀ ଟାଇଟଲ ହାସଲ କରିଛନ୍ତି ଓଡ଼ିଶା ଝିଅ ତ୍ରିଷ୍ଣା ରାୟ । ଏହି ସଫଳତା ହାସଲ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଥିବାରୁ ତ୍ରିଷ୍ଣାଙ୍କ ନିକଟକୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତ୍ରିଷ୍ଣା ରାୟ, ସେନା ଅଧିକାରୀ କର୍ଣ୍ଣେଲ୍ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ତନୟା ଅଟନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଫ୍ୟାଶନ ଟେକ୍ନୋଲୋଜିରେ ଅଧ୍ୟୟନ କରୁଥିବା ବେଳେ ଗତବର୍ଷ ସେ ‘ମିସ ଟିନ୍ ୟୁନିଭର୍ସ ଇଣ୍ଡିଆ’ ଟାଇଟଲର ଅଧିକାରୀ ହୋଇଥିଲେ ।
ତ୍ରିଷ୍ଣାଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ ମାଧ୍ୟମରେ ତ୍ରିଷ୍ଣାଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶୁଭକାମନା ଜଣାଇ ଲେଖିଛନ୍ତି ଯେ,” ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ମିସ୍ ଟିନ୍ ୟୁନିଭର୍ସ-୨୦୨୪ ମୁକୁଟ ପିନ୍ଧିଥିବାରୁ ଓଡିଶାର ତ୍ରିଷ୍ଣା ରାୟଙ୍କୁ ଅଭିନନ୍ଦନ । ସେ ତାଙ୍କ କ୍ୟାରିୟରରେ ନୂତନ ଉଚ୍ଚତା ସୃଷ୍ଟି କରନ୍ତୁ ଏବଂ ଆମ ରାଜ୍ୟକୁ ଗର୍ବିତ କରନ୍ତୁ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।”
ସୂଚନାଯୋଗ୍ୟ ଯେ, ଚଳିତମାସ ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ‘ମିସ୍ ଟିନ୍ ୟୁନିଭର୍ସ-୨୦୨୪’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ତେବେ ପେରୁ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, କେନିଆ, ପର୍ତ୍ତୁଗାଲ ଏବଂ ନେଦରଲ୍ୟାଣ୍ଡର ସୁନ୍ଦରୀମାନଙ୍କୁ ପଛରେ ପକାଇ ୧୯ ବର୍ଷୀୟା ତ୍ରିଷ୍ଣା ଏହି ଟାଇଟଲ୍ ଜିତିଛନ୍ତି । ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନେକ ଦିନରୁ ପ୍ରୟାସ କରିଆସୁଥିଲେ । କିନ୍ତୁ ତାଙ୍କର ଭିସାରେ ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍ ରିପବ୍ଲିକ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ। କିନ୍ତୁ ଚଳିତ ବର୍ଷ ଆୟୋଜିତ ହୋଇଥିବା ‘ମିସ୍ ଟିନ୍ ୟୁନିଭର୍ସ-୨୦୨୪’ରେ ସେ ଏହି ଅନ୍ତର୍ଜାତୀୟ ସଫଳତାର ଅଧିକାରୀ ହୋଇଛନ୍ତି। ପେରୁର ଆନ୍ ଥୋର୍ସେନ୍ ଏବଂ ନାମ୍ବିଆର ପ୍ରିସିୟସ ଆଣ୍ଡ୍ରେ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି ।