ସାରଜାହ: ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜ, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇ ରେକର୍ଡ ସୃଷ୍ଟି କରିଛନ୍ତି । ଆଫଗାନ ଦଳର ଓପନର ତଥା ବ୍ୟାଟ୍ସମ୍ୟାନ ରେହମାନୁଲ୍ଲା ଗୁରବାଜ ଦିନିକିଆରେ ଶତକ ହାସଲ କରିବାରେ ନୂଆ ରେକର୍ଡ କରିଥିବା ବେଳେ ମାତ୍ର ୨୨ ବର୍ଷ ବୟସରେ ସେ ଦିନିକିଆରେ ୮ଟି ଶତକ ହାସଲ କରି ବିଶ୍ବର ଦ୍ବିତୀୟ ସର୍ବ କନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।
ସୋମବାର ସାରଜାହରେ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ଗୁରବାଜଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଦଳ ବିଜୟ ହାସଲ କରିଥିଲା । ମ୍ୟାଚରେ ଆଫଗାନିସ୍ତାନ ୫ ଓ୍ବିକେଟରେ ବିଜୟୀ ହୋଇ ୨-୧ରେ ସିରିଜ ହାସଲ କରିଥିଲା। ଏହି ମ୍ୟାଚରେ ୧୨୦ ବଲରେ ୧୦୧ ରନ କରି ଶତକ ହାସଲ କରିଥିଲେ ରେହମାନୁଲ୍ଲା । ବାଂଲାଦେଶ ବିପକ୍ଷରେ ୧୦୧ର ଇନିଂସ ଖେଳି ମାତ୍ର ୨୨ ବର୍ଷ ୩୪୯ ଦିନ ବୟସରେ ସେ ଦିନିକିଆ ମ୍ୟାଚରେ ଦ୍ୱିତୀୟ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ଅଷ୍ଟମ ଶତକ ହାସଲ କରିଛନ୍ତି । ଏହି ରେକର୍ଡ କରିବାରେ ସର୍ବ କନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ସବୁଠାରୁ ଆଗରେ ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ୱିଣ୍ଟନ୍ ଡି କକ୍ ରହିଛନ୍ତି । ସେ ୨୨ ବର୍ଷ ୩୨୨ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ । ଏହି ରେକର୍ଡ ହାସଲ କରି ଗୁରୁବାଜ ରେହମାନୁଲ୍ଲା ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଥିବା ସୂଚନା ମିଳିଛି । ତେନ୍ଦୁଲକରଙ୍କୁ ଯେତେବେଳେ ୨୨ ବର୍ଷ ୩୫୭ ଦିନ ହୋଇଥିଲା ସେ ଦିନିକିଆରେ ଅଷ୍ଟମ ଶତକ ହାସଲ କରିଥିଲେ । ସେହିପରି ବିରାଟ କୋହଲି ୨୩ ବର୍ଷ ୨୭ ଦିନରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।