ଭୁବନେଶ୍ୱର: ଗତ ରବିବାର ଇଣ୍ଡିଆନ ସୁପର ଲିଗର ଏକ ମ୍ୟାଚ ଓଡ଼ିଶା ଏଫ୍ସି ଓ ମୋହନ ବାଗାନ ସୁପର ଜାଏଣ୍ଟ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଳିଙ୍ଗ ଷ୍ଟାଡିୟମ ପରିସରରେ ଖେଳାଯାଇଥିବା ଏହି ମ୍ୟାଚ ୧-୧ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ମ୍ୟାଚ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏବଂ ବିଧାୟକ ବାବୁ ସିଂହ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।କଳିଙ୍ଗ ଷ୍ଟାଡିୟମ ଦର୍ଶକରେ ଭର୍ତ୍ତି ହୋଇଥିଲା। ଓଡିଶା ଏଫସି ଦଳ ପାଇଁ ଷ୍ଟାଡିୟମରେ ଥିଲେ ହଜାର ହଜାର ପ୍ରଶଂସକ । କିନ୍ତୁ ଏହି ଦଳ ମଧ୍ୟରେ ଗୋଟିଏ ହେଲେ ଓଡିଆ ଖେଳାଳି ନଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଓଡିଶାର ଫୁଟବଲ ପ୍ରଶଂସକ ମଧ୍ୟ ଏହାକୁ ନେଇ ତୀବ୍ର ଅସନ୍ତୁଷ୍ଟ ହୋଇଥିଲେ ।
ରବିବାର ଆୟୋଜିତ ମ୍ୟାଚରେ ଘରୋଇ ଦଳ ପଡ଼ୋଶୀ ମୋହନ ବାଗାନ ସହ ସମାନ ପଏଣ୍ଟ୍ ବାଣ୍ଟିଥିଲା । ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ମହମ୍ମଦ ଜାହୋଉଙ୍କ ପାସକୁ ହୁଗୋ ବୌମୋସ ଏକ ଗୋଲ୍ରେ ପରିଣତ କରି ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। କିନ୍ତୁ ୩୬ତମ ମିନିଟ୍ ବେଳକୁ ମୋହନ ବାଗାନ୍ ଗୋଲ୍ ହାସଲ କରି ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲା। ପ୍ରଥମାର୍ଦ୍ଧ ୧-୧ ଗୋଲ୍ରେ ଶେଷ ହୋଇଥିବା ବେଳେ ଦ୍ବିତୀୟାର୍ଦ୍ଧରେ କେହି ଗୋଲ୍ ନ ଦେଇପାରିବା ଯୋଗୁଁ ଉଭୟ ଦଳ ୧-୧ ପଏଣ୍ଟ୍ରେ ସମାନ ସ୍ଥିତିରେ ରହିଥିଲେ।
ପ୍ରକାଶଥାଉ କି, ୫ ବର୍ଷ ପୂର୍ବରୁ ଓଡିଶାରେ ଆରମ୍ଭ ହୋଇଥିଲା ଓଡିଶା ଏଫସି । ଓଡିଶାର ଫୁଟବଲ ଖେଳଳିଙ୍କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଏହି ଓଡିଶା ଏଫସି । ସେହି ସମୟରେ ରାଜ୍ୟ ସରକାର ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଥିଲେ । ଓଡିଶା ଏଫସି ସମସ୍ତ ସୁବିଧା ସୁଯୋଗ ପାଇଲା ସତ, କିନ୍ତୁ ଏଥିରେ ବର୍ତ୍ତମାନ ଓଡିଶାର କେହି ଜଣେ ମଧ୍ୟ ଖେଳାଳି ନାହାନ୍ତି । ଏହାକୁ ନେଇ ବରିଷ୍ଠ କୋଚ ଓ କ୍ରୀଡା ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି।