ନୂଆଦିଲ୍ଲୀ : ଦିନକୁ ଦିନ ଦିଲ୍ଲୀରେ ବାୟୁର ପ୍ରଦୂଷଣ ମାନ ହ୍ରାସ ଘଟିବାରେ ଲାଗିଛି। ଦିନକୁ ଦିନ ଏହା ସଂଗୀନ ସ୍ଥିତିରେ ପହଞ୍ଚିଥିବା ବେଳେ ବୁଧବାର ଦିଲ୍ଲୀ ସହରର ବାୟୁ ମାନକ ସୂଚୀ(ଏକ୍ୟୁଆଇ) ୪୨୯ ଥିବା ରେକର୍ଡ ହୋଇଛି। ଏକ୍ୟୁଆଇ ଏହି ସ୍ତରରେ ପହଞ୍ଚିଲେ ଏହାକୁ ସଂଗୀନ (ସିଭିୟର) ବୋଲି ବିବେଚନା କରାଯାଉଥିବା ବେଳେ ଦିଲ୍ଲୀରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସ୍ଥାପନ କରାଯାଇଥିବା ଥିବା ୩୬ଟି ବାୟୁ ମାନ ଅନୁଧ୍ୟାନକାରୀ ଷ୍ଟେସନ ମଧ୍ୟରୁ ୩୦ଟି ଷ୍ଟେସନରେ ବାୟୁର ମାନ ସିଭିୟର ବୋଲି ଦର୍ଶାଯାଇଛି। ଏହାର ପ୍ରମୁଖ କାରଣ ଯାନବାହନ ଚଳାଚଳ ଓ ନଡା ପୋଡି ଆଦି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଚଳିତ ଶୀତ ଋତୁରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣର ସ୍ଥିତି ସଂଗୀନ ହେବାରେ ଲାଗିଛି। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟିର କାରଣ ହୋଇଥିବା ବେଳେ ଏଥିପାଇଁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ଅଯଥା ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବୁଧବାର ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଏକ୍ୟୁଆଇ ୩୩୪ ରେକର୍ଡ କରାଯାଇଥିଲା। କିନ୍ତୁ ବୁଧବାର ଏଥିରେ ବୃଦ୍ଧି ଘଟି ଏହା ୪୨୯ରେ ପହଂଚିଛି।
ଅପରପକ୍ଷରେ ବୁଧବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ରହିଥିବାବେଳେ ଏହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି ସୂଚନା ମିଳିଛି। ସେହିପରି ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଏହା ସାଧାରଣ ତାପମାତ୍ରା ଠାରୁ ୪.୩ ଡିଗ୍ରୀ ସେଲସିୟସ୍ ଅଧିକ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।
ପ୍ରକାଶଥାଉ କି, ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ ଏହାକୁ ଭଲ ବୋଲି ବିବେଚନା କରାଯାଇଥାଏ। ସେହିପରି ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ନିମ୍ନ, ୩୦୧ରୁ ୪୦୦ ଅତିନିମ୍ନ, ୪୦୧ରୁ ୪୫୦ ସଂଗୀନ ଓ ୪୫୦ରୁ ଅଧିକ ହେଲେ ବାୟୁ ପ୍ରଦୂଷଣକୁ ଅତିସଂଗୀନ ବୋଲି ବିବେଚନା କରାଯାଇଥାଏ।