ଜେରୁସେଲମ: ଦିନକୁ ଦିନ ମଧ୍ୟପ୍ରାଚ୍ୟର ସ୍ଥିତି ସଂଗୀନ ହେବାରେ ଲାଗିଥିବା ବେଳେ ଇସ୍ରାଏଲର ଗୁଇନ୍ଦା ଘାଟିରେ ହେଜବୋଲ୍ଲା କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ସୂଚନା ମିଳିଛି । ଲେବନାନ ସୀମାଠାରୁ ପ୍ରାୟ ୧୨୦ କିଲୋମିଟର ଦୂର ତେଲ ଅଭିବରେ ଥିବା ତେଲ ହାମ୍ ସାମରିକ ଘାଟିକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରିଛି ହେଜବୋଲ୍ଲା।
ଏସମ୍ପର୍କରେ ସ୍ପଷ୍ଟ କରି ହେଜବୋଲ୍ଲା କହିଛି ଯେ, ବେସ୍କୁ ଟାର୍ଗେଟ କରିବା ପାଇଁ ଏକାଧିକ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। କିନ୍ତୁ ଏହାକୁ ନେଇ ଇସ୍ରାଏଲ ସେନା ପକ୍ଷରୁ କୌଣସି ମନ୍ତବ୍ୟ ମିଳିନାହିଁ।
ଅପରପକ୍ଷରେ, ପ୍ରତିଦିନ ପ୍ରାୟ ୩୦ରୁ ଅଧିକ ଆକ୍ରମଣ କରୁଥିବା ହେଜବୋଲ୍ଲା ଲେବାନନ ସୀମା ନିକଟରେ ଥିବା କିରୟାଟ୍ ଶାମୋନା ବସ୍ତି ଏବଂ ଅନ୍ୟ ସମ୍ପ୍ରଦାୟ ଉପରେ ରକେଟ୍ ମାଡ଼ କରିଥିବା ସୂଚନା ମିଳିଥିଲା। ଏହା ପୂର୍ବରୁ ବାଲବେକ୍-ହାର୍ମେଲ୍ ଗଭର୍ଣ୍ଣରେଟ୍ର ବାଲବେକ୍ ସହରର ଆଖପାଖ ଅଂଚଳରେ ଥିବା ନାଗରିକ ସୁରକ୍ଷା କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଥିଲା। ଏ ସମ୍ପର୍କରେ ସୂଚନା ଦେଇ ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ, ସୁରକ୍ଷା କେନ୍ଦ୍ରରେ ୨୦ ଜଣ ସଦସ୍ୟ ଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରୁ ୧୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଭଗ୍ନାବଶେଷ ହଟାଇବା ପ୍ରକ୍ରିୟା ଜାରି ଥିଲା।