ନୂଆଦିଲ୍ଲୀ : ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଂଗୀନ ହେବାରେ ଲାଗିଛି। ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାପ୍-୩ ଫର୍ମୁଲା ଲାଗୁ ହୋଇଛି। ସହରରେ ଅନାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ମାନକ ସ୍ଥିତି) ୪୦୦-୪୫୦ ରେକର୍ଡ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଗ୍ରାପ୍-୩ ଫର୍ମୁଲା ଲାଗୁ ହୋଇଛି। ପ୍ରଦୂଷଣର ପ୍ରମୁଖ କାରଣ ଯାନବାହନ ଚଳାଚଳ ଓ ନଡା ପୋଡି ଆଦି କୁହାଯାଇଥିବା ବେଳେ ଗ୍ରାପ୍-୩ ଫର୍ମୁଲା ଅନୁଯାୟୀ ଶୁକ୍ରବାରଠାରୁ ସହରରେ ପୁରୁଣା କାଳିଆ ପେଟ୍ରୋଲ (ବିଏସ୍-୩) ଓ ଡିଜେଲ (ବିଏସ୍-୪) ଯାନର ଚଳାଚଳ ଉପରେ କଟକଣା ଲାଗୁ ହୋଇଛି। ତେବେ ଦିଲ୍ଲୀ ବ୍ୟତୀତ ଗୁରଗାଓଁ, ଗୌତମ ବୁଦ୍ଧ ନଗର, ଗାଜିଆବାଦ ଏବଂ ଫରିଦାବାଦ ପାଇଁ ମଧ୍ୟ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଜରୁରୀ ପରିସ୍ଥିତିରେ ଡିଜେଲ ଚାଳିତ ଜେନେରେଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ପ୍ରତ୍ୟେକ ଦିନ ରାସ୍ତାରୁ ଧୂଳି ଅପସାରଣ ପ୍ରକ୍ରିୟା ସହିତ ଜଳ ସିଞ୍ଚନ ତ୍ୱରାନ୍ୱିତ କରାଯାଉଛି। ତେବେ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଆତିଶି ନିର୍ଦେଶ ଦେଇ ସ୍ଥିତିରେ ଉନ୍ନତି ଆସିିବା ପର୍ଯ୍ୟନ୍ତ ପିଲାମାନେ ଅନଲାଇନରେ ପାଠ ପଢିବେ ବୋଲି କହିଛନ୍ତି।
ସେହିପରି ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇ କେବଳ ସକାଳେ ଓ ସନ୍ଧ୍ୟାରେ ବାହାର କାର୍ଯ୍ୟକୁ ସୀମିତ ରଖିବାକୁ କୁହାଯାଇଛି। ଅତ୍ୟନ୍ତ ଜରୁରୀ କାର୍ଯ୍ୟରେ ମୁହଁରେ ଏନ୍୯୫ ମାସ୍କ୍ ପିନ୍ଧି ବାହାରକୁ ଯିବାପାଇଁ ପାଇଁ ପରାମର୍ଶ ଦିଆଯାଇଛି। ଏହାସହିତ ଘରେ ହେପା ଏୟାର ପ୍ୟୁରିଫାୟର ବ୍ୟବହାର କରିବାଦ୍ୱାରା ପ୍ରଦୂଷଣରୁ ରକ୍ଷା ମିଳିବ ବୋଲି କୁହାଯାଇଛି।
ପ୍ରକାଶଥାଉ କି, ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ ଏହାକୁ ଭଲ ବୋଲି ବିବେଚନା କରାଯାଇଥାଏ। ସେହିପରି ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ନିମ୍ନ, ୩୦୧ରୁ ୪୦୦ ଅତିନିମ୍ନ, ୪୦୧ରୁ ୪୫୦ ସଂଗୀନ ଓ ୪୫୦ରୁ ଅଧିକ ହେଲେ ବାୟୁ ପ୍ରଦୂଷଣକୁ ଅତିସଂଗୀନ ବୋଲି ବିବେଚନା କରାଯାଇଥାଏ।