ଝାନସୀ: ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲର ଶିଶୁ ୱାର୍ଡରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଦୁର୍ଘଟଣାକୁ ଅତି ଗୁରୁତର ସହ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ଏହି ଅଗ୍ନିକାଣ୍ଡ ଯୋଗୁ ହୋଇଥିବା ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏହାସହିତ ଗୁରୁତର ମାନଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶସ୍ଥିତ ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏ ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଉଚ୍ଚସ୍ତରୀୟ ଯାଞ୍ଚର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୨ ଘଣ୍ଟା ମଧ୍ୟରେ ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ, ଘଟଣାର ତ୍ରିସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ କରିବ। ଦ୍ୱିତୀୟ ଯାଞ୍ଚ ପୁଲିସ୍ ପ୍ରଶାସନ ଓ ଅଗ୍ନିଶମ ବିଭାଗ କରିବେ। ଏହାପରେ ମାଜିଷ୍ଟ୍ରେଟ ଶେଷ ଯାଞ୍ଚ କରିବେ। ଯେଉଁମାନଙ୍କ ଦାୟିତ୍ୱହୀନତା ନିମନ୍ତେ ଏପରି ଘଟଣା ଘଟିଥିବା ପ୍ରମାଣିତ ହେବ ସେମାନଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦିଆଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରି ମୃତ ଶିଶୁଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଗୁରୁତର ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।