ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ତଥା ୪ର୍ଥ ଟି-୨୦ରେ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ବିଜୟ ହାସଲ କରିଛି। ବିଶେଷ କରି ଓପନର ସଞ୍ଜୁ ସାମସନ ଓ ତିଲକ ବର୍ମାଙ୍କ ବ୍ୟାଟିଂର ଯାଦୁ ଦ୍ୱାରା ଉଭୟ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଟି-୨୦ର ଟପ ୧୦ ଭିତରେ ଥିବା କୌଣସି ଦଳ ଗୋଟିଏ ମ୍ୟାଚ୍ରେ ୨୩ଟି ଛକା ମାରିବାରେ ଏହା ଏକ ରେକର୍ଡ। ସେହିପରି ଦକ୍ଷିଣ ଆଫ୍ରିକାରେ କୌଣସି ଟି-୨୦ରେ କୌଣସି ଦଳ ୨୮୩ ରନ କରିବା ମଧ୍ୟ ଏହା ସର୍ବାଧିକ। ଆହୁରି ମଧ୍ୟ ଗୋଟିଏ ଟି-୨୦ରେ ଦୁଇ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିବା ବି ଏହା ପ୍ରଥମ ଘଟଣା।
ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟି-୨୦ ସିରିଜରେ ୨-୧ରେ ଆଗରେ ଥିବା ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମାସନଙ୍କ ଯୋଡି ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ। ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଥିଲେ। ସାମସନ ଓ ତିଲକ ୧୯ଟି ଛକା ମାରିଥିଲେ। ସାମସନ ଓ ତିଲକ ୮୬ ବଲରେ ୨୧୦ ରନର ଭାଗିଦାରୀ କରିଥିଲେ। ଟି-୨୦ କ୍ରିକେଟ ଇତିହାସରେ ଏହା ଦ୍ୱିତୀୟ ୱିକେଟ ପାଇଁ ସର୍ବାଧିକ ପାର୍ଟନରଶିପ। ସେହିପରି ଯେକୌଣସି ୱିକେଟ ପାଇଁ ଏହା ଦ୍ୱିତୀୟ ସର୍ବାଧିକ। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଥିଲା।
ତିଲକ ବର୍ମା ଚଳିତ ସିଜିନରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ଦ୍ୱିତୀୟ ଶତକ। କ୍ରମାଗତ ଇନିଂସରେ ଶତକ ହାସଲ କରିବାରେ ତିଲକ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ସଞ୍ଜୁ ସାମସନ ଚଳିତ ସିରିଜର ପ୍ରଥମ ମ୍ୟାଚ୍ରେ ଏହି ରେକର୍ଡ କରିଥିଲେ। ସାମସନ ଶେଷ ପର୍ଯ୍ୟନ୍ତ ୫୬ ବଲରେ ୧୦୯ ଓ ତିଲକ ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଥିଲେ।
ଏହାପରେ ୨୮୪ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ଅର୍ସଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ରା ୧୪୮ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତ ଶେଷ ଟି-୨୦କୁ ୧୩୫ ରନ୍ରେ ଜିତି ସିରିଜକୁ ହାତେଇଛି।
ଅପରପକ୍ଷରେ, ସଞ୍ଜୁ ସାମସନଙ୍କ ପ୍ରଥମ ଛକା ସହିତ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ଏକ ବିଶେଷ ରେକର୍ଡ ସହ ସାମସନ୍ ସମକକ୍ଷ ହୋଇଛନ୍ତି। ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୮ କିମ୍ବା ଅଧିକ ଛକା ମାରିବାରେ ସେ ରୋହିତଙ୍କ ସହ ସମକକ୍ଷ ହୋଇଛନ୍ତି। ସେହିପରି କ୍ରିକେଟ୍ ର ସବୁଠାରୁ ଛୋଟ ଫର୍ମାଟରେ ୧୫୦୦ ରୁ ଅଧିକ ଛକା ମାରିବାରେ ଭାରତ ବିଶ୍ୱର ଦ୍ୱିତୀୟ ଦଳ ହୋଇପାରିଛି।