ଅବୁଜା: ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ବିଦେଶଗସ୍ତରେ ଯାଇଛନ୍ତି। ବ୍ରାଜିଲରେ ଜି-୨୦ ନେତା ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ସମୟରେ ସେ ନାଇଜେରିଆ ଓ ଗୁଏନା ଗସ୍ତ କରିବେ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ନାଇଜେରିଆରେ ରାଜଧାନୀ ଅବୁଜାରେ ପହଞ୍ଚିଛନ୍ତି। ସେଠାରେ ପ୍ରବାସୀ ଭାରତୀୟମାନେ ମୋଦିଙ୍କୁ ସ୍ୱାଗତ କରିବା ସହିତ ସାକ୍ଷାତ ମଧ୍ୟ କରିଥିଲେ । ତେବେ ଏହି ଗସ୍ତ ଦ୍ୱାରା ଆଗାମୀ ଦିନରେ ଅର୍ଥନୈତିକ ଦୃଷ୍ଟିକୋଣରୁ ସମୃଦ୍ଧ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଭାରତ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବୃଦ୍ଧି ବୋଲି ଆଶା କରାଯାଉଛି। ଏହାସହିତ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ସାମରିକ ସହଯୋଗର ଏକ ନୂତନ ଯୁଗ ଆରମ୍ଭ ହେବାର ମଧ୍ୟ ସମ୍ଭାବନା ରହିଛି।
ଶନିବାର ନାଇଜେରିଆ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିବୃତିରେ କହିଛନ୍ତି, ପଶ୍ଚିମ ଆଫ୍ରିକାରେ ନାଇଜେରିଆ ଆମର ନିକଟତମ ସହଯୋଗୀ। ଗଣତନ୍ତ୍ର ଏବଂ ବହୁଳତା ଉପରେ ଦୃଢ଼ ବିଶ୍ୱାସ ରଖିଥିବା ଭାରତ ଏବଂ ନାଇଜେରିଆ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ଏହି ଗସ୍ତ ସହାୟକ ହେବ।
ଅପରପକ୍ଷରେ ରବିବାର ଦିନ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ସହ ମୋଦୀଙ୍କ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକରେ ପାରସ୍ପରିକ ସହଯୋଗ ଉପରେ ଅନେକ ନୂତନ ଘୋଷଣା ହୋଇପାରେ। ସେହିପରି ମୋଦୀଙ୍କ ଏହି ଗସ୍ତ ନାଇଜେରିଆରେ ନିବେଶ କରିବା ପାଇଁ ଭାରତୀୟ କମ୍ପାନୀମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ। କାରଣ ବିଗତ କିଛି ବର୍ଷ ମଧ୍ୟରେ ନାଇଜେରିଆରେ ୧୨ରୁ ଅଧିକ ଭାରତୀୟ କମ୍ପାନୀ ପୁଞ୍ଜିନିବେଶ ଆରମ୍ଭ କରିଛନ୍ତି।
ପ୍ରକାଶଥାଉ କି, ୨୦୦୭ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନାଇଜେରିଆ ଗସ୍ତ କରିଥିଲେ। ଏହା ପରଠାରୁ ୧୭ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ନାଇଜେରିଆ କରିନାହାନ୍ତି । ସେହିପରି ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗୁୟାନା ଗସ୍ତ କରିବେ, ଯାହା କି ଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦକ୍ଷିଣ ଆମେରିକୀୟ ଦେଶ ଗସ୍ତ ଅଟେ।