ନଏଡା: ଘନ କୁହୁଡି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୭ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେରେ ଫରିଦାବାଦ ଆଡକୁ ଯାଉଥିବା ରାସ୍ତାରେ ଘଟିଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ବହୁତ କମ୍ ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ପ୍ରାୟ ୫.୧୫ ରେ ଦାଦୁପୁର ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକକୁ ପଛରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଆଗରେ ଥିବା ଏକ ବସ୍ ସହିତ ଉକ୍ତ ଟ୍ରକଟି ଧକ୍କା ହୋଇଥିଲା । ଫଳରେ ବସରେ ଥିବା ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ଆହତଙ୍କୁ ତୁରନ୍ତ ହସପିଟାଲକୁ ସ୍ଥାନାନ୍ତର କରିଥିଲା । ବସଟି ପାନିପତରୁ ମଥୁରା ଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲା। ଦୁର୍ଘଟଣା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତେବେ ଦୁର୍ଘଟଣାର ମୁଖ୍ୟ କାରଣ ଘନ କୁହୁଡି ବୋଲି ପୋଲିସ କହିଥିବା ବେଳେ ଦୃଶ୍ୟମାନ ଯଥେଷ୍ଟ କମ୍ ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଥିଲା ।
ଅପରପକ୍ଷରେ, ଆଗ୍ରା ନିକଟସ୍ଥ ଫିରୋଜାବାଦରେ ଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ନାସିରପୁର ନିକଟରେ କାର୍-ଟ୍ରକ୍ ଧକ୍କା ହୋଇଛି । ଏକ ଏସୟୁଭି କାର୍ ଟ୍ରକକୁ ଧକ୍କା ଦେବା ଫଳରେ ଅନ୍ୟ ଗାଡ଼ିମଧ୍ୟରେ ପରସ୍ପର ଧକ୍କା ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।