ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ସହିତ ନ୍ୟାସନାଲ କ୍ୟାପିଟାଲ ରିଜନରେ ବାୟୁ ପ୍ରଦୂଷଣ ସ୍ଥିତି ଅତି ସାଂଘାତିକ ସ୍ତରରେ ପହଞ୍ଚିବା ପରେ ସେଠାରେ କୃତ୍ରିମ ବର୍ଷା କରାଇବାକୁ କେନ୍ଦ୍ର ସରକାରଙ୍କୁ ପତ୍ରଲେଖିଛନ୍ତି ଦିଲ୍ଲୀର ମନ୍ତ୍ରୀ । ବିଶେଷକରି ମଙ୍ଗଳବାର ଦିଲ୍ଲୀରେ ଏକୁ୍ୟଆଇ ସ୍ତର ୫୦୦ ଛୁଇଁବା ପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ରାଜଧାନୀ ଅଞ୍ଚଳରେ କୃତ୍ରିମ ବର୍ଷା କରାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡି ପତ୍ର ଲେଖିଛନ୍ତି । ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରାକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି, ଦିଲ୍ଲୀ ଉପରିସ୍ଥ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ମାତ୍ରାଧିକ ବୃଦ୍ଧିପାଇଛି । ସେଥିରୁ ରକ୍ଷା ପାଇବାକୁ ଏକମାତ୍ର ଉପାୟ ହେଉଛି କୃତ୍ରିମ ବର୍ଷା । ଏହା ଏକ ମେଡିକାଲ ଏମର୍ଜେନ୍ସି ବୋଲି ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ନୈତିକ ଦାୟିତ୍ୱ ଭାବରେ ଏହା କରିବା ଉଚିତ ବୋଲି ଦିଲ୍ଲୀ ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଗ୍ରାପ୍ ୪ ଲାଗୁ କରାଯିବା ସତ୍ତ୍ୱେ ସେଠାରେ ପ୍ରଦୂଷଣ ପୁନଃ ବୃଦ୍ଧିପାଇବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସାମ୍ବାଦିକମାନଙ୍କ ସହିତ ଆଲୋଚନା କାଳରେ ଶ୍ରୀ ରାୟ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଗତ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ସେ ଚାରିଥର ପତ୍ର ଲେଖିବା ସତ୍ତ୍ୱେ କୃତ୍ରିମ ବର୍ଷା କରାଇବା ସମ୍ପର୍କରେ ଆଲୋଚନା କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଗୋଟିଏ ହେଲେ ବୈଠକ ଡାକିନାହାନ୍ତି ।