ଭୁବନେଶ୍ୱର: ଆସନ୍ତା ଫେବୃଆରୀରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ସେଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା କ୍ରିକେଟ ଆସୋସିଏସନ୍ର ଅଧିକାରୀ, କଟକ ଜିଲ୍ଲାପାଳ ଦତ୍ତତ୍ରେୟ ଭାଉ ସାହେବ ସିନ୍ଧେ, ପୂର୍ତ୍ତ, ଅଗ୍ନିଶମ, ପରିବହନ ବିଭାଗର ଅଧିକାରୀ, ଏୟାରପୋର୍ଟ ଅଥରିଟି, କଟକ ମୁନିସିପାଲ କର୍ପୋରେସନ୍ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଆସନ୍ତା ଫେବୃଆରୀରେ ହେବାକୁ ଥିବା ମ୍ୟାଚରେ ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ବ୍ୟାପକ ଆଲୋଚନା ହୋଇଥିଲା।
ସେହିପରି ଖେଳାଳୀ ମାନଙ୍କର ରହଣି ବ୍ୟବସ୍ଥା, ଷ୍ଟାଡିୟମ୍ ରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବରେ ଧ୍ୟାନ ଦିଆଯିବା ସମ୍ପର୍କରେ ବିଚାର ବିମର୍ଷ କରାଯାଇଥିଲା। ଏହାସହିତ ମ୍ୟାଚରେ ଯେପରି ଅଧିକରୁ ଅଧିକ ଦର୍ଶକମାନେ ଏକତ୍ରିତ ହୋଇ ମ୍ୟାଚ ଦେଖିପାରିବେ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ, ମ୍ୟାଚ ପାଇଁ ଦର୍ଶକ ମାନଙ୍କୁ ସୁଲଭ ଦରରେ ଟିକେଟ ବିକ୍ରୟ ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।