ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଏନା ଗସ୍ତରେ ଅଛନ୍ତି। ସେଠାରେ ପହଂଚିବା ପରେ ଗୁଏନାର ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲି ଏବଂ ୧୨ରୁ ଅଧିକ କ୍ୟାବିନେଟ ମନ୍ତ୍ରୀ ବିମାନବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦୀର୍ଘ ୫୬ ବର୍ଷ ମଧ୍ୟରେ ଏହି ଦେଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ । ବିମାନବନ୍ଦରରେ ପହଞ୍ଚିବା ପରେ ଗୁଏନା ରାଷ୍ଟ୍ରପତି ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ ।ଏହାପରେ ପିଏମ ମୋଦୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ନରେନ୍ଦ୍ର ମୋଦୀ ଗୁୟାନା ସଂସଦର ବିଶେଷ ବୈଠକକୁ ସମ୍ବୋଧିତ କରିବେ ।
ସୂଚନାଯୋଗ୍ୟ ଯେ, ମୋଦିଙ୍କ ଏହି ଗସ୍ତ ଦ୍ୱାରା ଗୁଏନା ସହ ଭାରତର ଅର୍ଥନୈତିକ ସମ୍ପର୍କ ସୁଦୃଢ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେଠାରେ ପ୍ରଧାନମନ୍ତ୍ରୀ କାରିବିୟାନ୍ ସହଭାଗୀ ଦେଶର ନେତାମାନଙ୍କ ସହ କାରିକମ୍ ସଂଗଠନ (କ୍ୟାରିବିଆନ୍ କମ୍ୟୁନିଟି ଆଣ୍ଡ କମନ୍ ମାର୍କେଟ)ର ସମ୍ମିଳନୀର ବୈଠକରେ ଯୋଗ ଦେଇଛନ୍ତି। କାରିକମ୍ ସହ ଏହା ଭାରତର ଦ୍ବିତୀୟ ବୈଠକ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୬ ତାରିଖରୁ ବିଦେଶଗସ୍ତରେ ଅଛନ୍ତି । ପ୍ରଥମେ ସେ ନଭେମ୍ବର ୧୬ରୁ ୧୭ ପର୍ଯ୍ୟନ୍ତ ନାଇଜେରିଆ ଗସ୍ତରେ ଥିବା ବେଳେ ଏହାପରେ ୧୮ରୁ ୧୯ ପର୍ଯ୍ୟନ୍ତ ବ୍ରାଜିଲ ଗସ୍ତ ଓ ଏହାପରେ ବୁଧବାର ଦିନ ଗୁଏନାରେ ପହଞ୍ଚିଥିଲେ।