ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ସ୍ଥିତ ଯମୁନା ଏକ୍ସପ୍ରେସ୍ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ଡବଲ୍ ଡେକର ବସ୍ ମଧ୍ୟରେ ଧକ୍କା ଫଳରେ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୧୫ରୁ ଉର୍ଧ୍ଵ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପ୍ରାଥମିକ ତଦନ୍ତରୁ ବସ୍ଟି ଅନିୟନ୍ତ୍ରିତ ଭାବେ ଟ୍ରକକୁ ଅତିକ୍ରମ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ, ଯମୁନା ଏକ୍ସପ୍ରେସ୍ୱେର ତାପପାଲ ଅଞ୍ଚଳର ୫୬ ନମ୍ବର ପଏଣ୍ଟରେ ଏହି ଦୁର୍ଘଟଣା ଘଟିଥିଲା । ବୁଧବାର ରାତି ପ୍ରାୟ ୧ଟା ବେଳେ ଡବଲ ଡେକର ବସ୍ଟି ଦିଲ୍ଲୀରୁ ଆଜମଗଡ଼ ଅଭିମୁଖେ ଯାଉଥିଲା ଓ ଟ୍ରକ୍ଟି ଦିଲ୍ଲୀରୁ ଆଗ୍ରା ଯାଉଥିଲା। ଏହି ସମୟରେ ବସ୍ଟି ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ରହିଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରିନାହିଁ। ସେହିପରି ଏହି ଦୁର୍ଘଟଣାରେ ପରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ସୂଚନା ପାଇ ରାଜପଥରେ ପାଟ୍ରୋଲିଂ କରୁଥିବା ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।
ଏ ସମ୍ପର୍କରେ ତପପାଲ ଅଂଚଳର ପୋଲିସ ଅଧିକାରୀ ଶିଶୁପାଲ ଶର୍ମା କହିଛନ୍ତି ଯେ, ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତମାନଙ୍କୁ ଜେୱାରର କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କୁ ଆଲିଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଯାନବାହନକୁ ହଟାଇ ଯାତାୟତ ପଥକୁ ସୁଗମ କରାଯାଉଛି।