ନୂଆଦିଲ୍ଲୀ: କ୍ରମାଗତ ଆଠ ଦିନରୁ ଦିଲ୍ଲୀ ବାୟୁମଣ୍ଡଳର ସ୍ଥିତି ଉଦବେଗଜନକ ଥିବା ବେଳେ ଏହି ଅବସ୍ଥାରେ ସାମାନ୍ୟ ସୁଧାର ପରିଲକ୍ଷିତ ହୋଇଛି । ବୁଧବାର ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ସ୍ଥିତି ସଙ୍ଗୀନ ରହିଥିବା ବେଳେ ଏଥିରେ ସାମାନ୍ୟ ସୁଧାର ଘଟି ‘ଅତି ନିମ୍ନସ୍ତର’ ବର୍ଗକୁ ଆସିଛି। ଗୁରୁବାର ଏକ୍ୟୁଆଇ ୩୭୯ ଥିବା ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବାୟୁମଣ୍ଡଳର ସ୍ଥିତି ଅତ୍ୟନ୍ତ ଖରାପ ହେବା ଯୋଗୁଁ ଧୂଆଁର ଏକ ଘନ ସ୍ତର ଜାତୀୟ ରାଜଧାନୀକୁ ଆଚ୍ଛାଦିତ କରି ରଖିଛି। ସେଥିପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ହ୍ରାସ ପାଇ ବିମାନ ଚଳାଚଳ ବ୍ୟାହତ ହେବାସହ ୯୭ ବିମାନ ବିଳମ୍ବ ହୋଇଛି ଏବଂ ୩ଟି ବାତିଲ ହୋଇଛି । ଏ ସମ୍ପର୍କରେ ଫ୍ଲାଇଟ୍ରାଡା ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିଲ୍ଲୀ ରାଜଧାନୀ ଅଂଚଳରେ ଏକ୍ୟୁଆଇ ୩୭୯ ରେକର୍ଡ ହୋଇଥିବା ବେଳେ ଅନ୍ୟ ଏୟାର ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ୪୦୦ ରୁ ଅଧିକ ଅର୍ଥାତ “ସଙ୍ଗୀନ ବର୍ଗ” ଅଧୀନରେ ରହିଥିଲା। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଙ୍ଗୀରପୁରୀ ଏବଂ ୱାଜିରପୁରରେ ଏକ୍ୟୁଆଇ ସର୍ବାଧିକ ୪୩୭ରେ ପହଞ୍ଚିଛି। ସେହିପରି ବାୱାନାରେ ୪୧୯, ଅଶୋକ ବିହାର ଏବଂ ମୁଣ୍ଡକାରେ ୪୧୬ରେ ରେକର୍ଡ ହୋଇଛି।
ପ୍ରକାଶଥାଉ କି, ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ ଏହାକୁ ଭଲ ବୋଲି ବିବେଚନା କରାଯାଇଥାଏ। ସେହିପରି ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ନିମ୍ନ, ୩୦୧ରୁ ୪୦୦ ଅତିନିମ୍ନ, ୪୦୧ରୁ ୪୫୦ ସଂଗୀନ ଓ ୪୫୦ରୁ ଅଧିକ ହେଲେ ବାୟୁ ପ୍ରଦୂଷଣକୁ ଅତିସଂଗୀନ ବୋଲି ବିବେଚନା କରାଯାଇଥାଏ।