ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରୀବିହାରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୟୋନେକ୍ସ ସନରାଇଜ୍ ୪୭ତମ ଜାତୀୟ କନିଷ୍ଠ ବ୍ୟାଡ୍ମିଣ୍ଟନ୍ ଚମ୍ପିଆନସିପର ବାଳିକା ବିଭାଗରେ ଓଡ଼ିଶା ବିଜେତା ହୋଇ ରେକର୍ଡ ସୃଷ୍ଟି କରିଛି। ଓଡ଼ିଶାର ସଫଳତାରେ ଭାରତୀୟ ବ୍ୟାଡମିଣ୍ଟନ୍ର ତାରକା ତନଭୀ ପତ୍ରୀ, ପ୍ରଗତି ପରିଡ଼ା ଓ ବିଶାଖା ଟପ୍ପୋ ପ୍ରମୁଖ ଭୂମିକା ତୁଲାଇଛନ୍ତି।
ସୂଚନାଯୋଗ୍ୟ ଯେ, ବୁଧବାର ଖେଳାଯାଇଥିବା ଦଳଗତ ବାଳିକା ଫାଇନାଲ୍ ମ୍ୟାଚରେ ଓଡ଼ିଶା ସହିତ ତାମିଲନାଡ଼ୁର ମୁକାବିଲା ହୋଇଥିଲା। ଏଥିରେ ନିଜ ଦକ୍ଷତାପାଇଁ ଆନ୍ତର୍ଜାତିକ ସ୍ତରରେ ରେକର୍ଡ ସୃଷ୍ଟି କରିଥିବା ଓଡ଼ିଆ ଝିଅ ତନଭୀ ପ୍ରଥମ ଏକକ ମୁକାବିଲାରେ ତାମିଲନାଡ଼ୁ ପ୍ରକ୍ରିତି ଭରତଙ୍କୁ ଯଥାକ୍ରମେ ୧୦-୨୧, ୨୧-୧୩, ୨୧-୧୭ ସେଟ୍ରେ ପରାସ୍ତ କରି ଓଡ଼ିଶାକୁ ଆଗକୁ ନେଇଥିଲେ। ଏହାପରେ ଡ଼ବଲସ ମ୍ୟାଚରେ ଓଡ଼ିଶାର ପ୍ରଗତି ଓ ବିଶାଖା ତାମିଲନାଡ଼ୁର ପ୍ରବନ୍ଧିକା ଆର୍ ଓ ରେସିକା ୟୁଙ୍କ ଯୋଡ଼ିକୁ ସିଧାସଳଖ ୨୧-୧୮, ୨୧-୧୪ ସେଟ୍ରେ ପରାସ୍ତ କରି ଓଡ଼ିଶାକୁ ୨-୦ରେ ଜିତାଇଥିଲେ।
ଉଦଯାପନୀ ସମାରୋହରେ ଓଡ଼ିଶା ବ୍ୟାଡମିଣ୍ଟନ୍ ସଂଘ (ଓସବା) ସଭାପତି ରାଜେଶ ପ୍ରଭାକର ପାଟିଲ, ଏସିଆ ବ୍ୟାଡ୍ମିଣ୍ଟନ୍ର ବୈଷୟିକ କମିଟିର ଅଧ୍ୟକ୍ଷ ଓମାର୍ ରସିଦ, ପାରା ବ୍ୟାଡ୍ମିଣ୍ଟନ୍ ଅଧ୍ୟକ୍ଷ ତଥା ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ପ୍ରଭାକର ରାଓ, ଓସ୍ବା ସଂପାଦକ ନୀଲିନ କୁମାର, ଉପସଭାପତି ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥ, ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଉଭୟ ବାଳକ ଓ ବାଳିକା ବିଭାଗର ବିଜେତା ଦଳକୁ ୧ଲକ୍ଷ ୨୫ହଜାର ଟଙ୍କା, ଉପବିଜେତା ଦଳକୁ ୬୨ହଜାର ୫୦୦ ଟଙ୍କା ଏବଂ ସେମିଫାଇନାଲିଷ୍ଟଙ୍କୁ ୩୧ହଜାର ୨୫୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦୀପକ ମହାନ୍ତି, ମନୋରଂଜନ ପଣ୍ଡା, ଲକ୍ଷାପତି ନନ୍ଦ, ରୀତା ଦାଶ, ପ୍ରୀତପାଲ ସିଂହ, ସୁଦୀପ ବିଶୋଇ, ସରୋଜ ସାହୁ, ମନୋରଂଜନ ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।