ଆଲିଗଡ଼: ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ ଉପରେ ଆକ୍ରମଣ କରିଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ନଇମା ଖାତୁନ ପ୍ରଶାସନିକ ସୌଧରୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବାସଭବନକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ହେଲା ଏଏମୟୁରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ। ସେଥିପାଇଁ କ୍ଷୁବ୍ଧ ହୋଇ ଗୁରୁବାର ଅପରାହ୍ନରେ ଶତାଧିକ ଛାତ୍ରଛାତ୍ରୀ ପ୍ରଶାସନିକ ଭବନରେ ପହଞ୍ଚିଥିଲେ। ଗେଟ୍ ନିକଟରେ ଛାତ୍ରମାନଙ୍କୁ ଅଟକିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭଵଃପର ହୋଇନଥିଲା। ସେଠାରୁ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ତଳେ ଥିବା ସିଡି ନିକଟରେ ବସିଥିବା ବେଳେ ପ୍ରାୟ ସନ୍ଧ୍ୟା ୬.୩୦ ବେଳକୁ କୁଳପତି ପ୍ରଫେସର ଡ. ନଇମା ଖାତୁନ ଯେତେବେଳେ କାର୍ ଯୋଗେ ଅଫିସ୍ରୁ ବାହାରିବା ଆରମ୍ଭ କଲେ, ଛାତ୍ରୀମାନେ ତାଙ୍କୁ ଘେରି ଯାଇଥିଲେ। ଏହାପରେ ଛାତ୍ରମାନେ କାର୍ ଅଟକାଇ ବୋନେଟ୍ ଉପରେ ଚଢ଼ିଯାଇଥିଲେ। ସୁରକ୍ଷାକର୍ମୀମାନେ କାର୍କୁ ହଟାଇବା ପରେ ଛାତ୍ରମାନେ ସେମାନଙ୍କୁ ଘଉଡ଼ାଇ କାର୍କୁ ମଧ୍ୟ ଧକ୍କା ଦେବାସହ ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ। ଖାଲି ସେତିକି ନୁହେଁ ପ୍ରଶାସନିକ କୋଠାର ଗେଟ୍ ବନ୍ଦ କରି ଅଧିକାରୀ ଓ କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା।
ଅପରପକ୍ଷରେ ଏଏମୟୁ ଛାତ୍ରଛାତ୍ରୀଙ୍କ ବିରୋଧରେ ଅଭିଯୋଗ କରି ସମସ୍ତଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଜାରୀ କରିଛି।