ଓ୍ବାଶିଂଟନ: ଆମେରିକାରେ ଭାରତୀୟ-ଆମେରିକୀୟମାନେ ମିଳିତ ଭାବେ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ଶୁକ୍ରବାର ମେରିଲାଣ୍ଡସ୍ଥିତ ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍ରିଟିଜ୍(ଏଆଇଏଏମ୍) ଉଦ୍ଘାଟିତ ହୋଇଥିବା ବେଳେ ଏହି ସଂଗଠନର ଉଦ୍ଦେଶ୍ୟ ଭାରତୀୟ-ଆମେରିକାରେ ପ୍ରବାସୀଙ୍କ ମଧ୍ୟରେ ସଂଖ୍ୟାଲଘୁଙ୍କୁ ଏକତ୍ର କରିବା ଏବଂ ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରିବା ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଏଆଇଏଏମ୍ ସଂଗଠନପକ୍ଷରୁ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂଖ୍ୟାଲଘୁ ଉନ୍ନତି ପାଇଁ ଡକ୍ଟର ‘ମାର୍ଟିନ ଲୁଥର୍ କିଙ୍ଗ ଜୁନିଅର ଗ୍ଲୋବାଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ଅନ୍ତର୍ଭୁକ୍ତ ବିକାଶ ତଥା ସଂଖ୍ୟାଲଘୁ କଲ୍ୟାଣ ଦିଗରେ ତାଙ୍କର ପ୍ରଗାଢ଼ ଉଦ୍ୟମ ତଥା ଅବଦାନ ପାଇଁ ୱାଶିଂଟନ ଆଡଭେଣ୍ଟିଷ୍ଟ ୟୁନିଭରସିଟି ଏବଂ ଏଆଇଏଏମ ଦ୍ୱାରା ପିଏମ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ପ୍ରକାଶଥାଉ କି, ଆମେରିକାରେ ଭାରତୀୟ-ଆମେରିକୀୟମାନଙ୍କର ଏକତା ସୁନିଶ୍ଚିତ କରିବା ଏଆଇଏଏମ୍ ଗଠନର ଏକ ପ୍ରମୁଖ ଲକ୍ଷ୍ୟ ଅଟେ । ଶିଖ ଦାନକର୍ତ୍ତା ଜସଦୀପ ସିଂଙ୍କୁ ଏଆଇଏଏମ୍ ଏହାର ପ୍ରତିଷ୍ଠାତା ତଥା ସଂଘ ସଭାପତି ଭାବରେ ନିଯୁକ୍ତ କରିଛି। ଏହା ବ୍ୟତୀତ ଏହାର ସାତ ସଦସ୍ୟ ବିଶିଷ୍ଟ ନିର୍ଦ୍ଦେଶକ ବୋର୍ଡରେ ବଲଜିନ୍ଦର ସିଂ, ସୁଖପାଲ ଧାନୋଆ, ପୱନ ବେଜୱାଡା, ଇଲିଶା ପୁଲିଭାର୍ଟି, ଦୀପକ ଠାକୁର, ଜୁନାଦ କାଜୀ ଏବଂ ନିସିମ ରୁବେନ ଅଛନ୍ତି। ଉଦଘାଟନୀ ସଭାରେ ଏଆଇଏଏମ୍ ସଭାପତି ୨୦୨୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଂଗଠନର ଭୂମିକା ଉପରେ ଆଲୋକପାତ କରିଥିଲେ।