ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବାପାଇଁ ଯାଉଛି। ସେଥିମଧ୍ୟରୁ ଓଡିଶା ଦେଇ ୩ଟି ଏକ୍ସପ୍ରେସ ଚଳାଚଳ କରିବ। ଏହି ସମାରୋହରେ ଯୋଗ ଦେବା ପାଇଁ ମଙ୍ଗଳବାର ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି।
ପ୍ରକାଶଥାଉ କି, ବର୍ତ୍ତମାନ ଓଡ଼ିଶାରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ନୂଆ ଏକ୍ସପ୍ରେସ ଗଡିବା ପରେ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ମୋଟ ସଂଖ୍ୟା ୬ରେ ପହଞ୍ଚିବ । ଆଗାମୀ ଦିନରେ ଚାଲିବାକୁ ଥିବା ୩ଟି ଏକ୍ସପ୍ରେସ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ,ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ରେଳ ମନ୍ତ୍ରୀଙ୍କୁ ଏହି ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି।